(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୋନପୁର ସଦର ବ୍ଲକର ଜନମୁରା ଗ୍ରାମ ପଞ୍ଚାୟତର ନୂତନ କୋଠାକୁ ଆଜି ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ କର କମଳରେ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠାନିର୍ମାଣ ଠିକ୍ ସମୟରେ ହୋଇପାରିଥିବା ଯୋଗୁଁ ଖୁସି ପ୍ରକଟ କରିଥିବା ବେଳେ ଆନୁସଙ୍ଗିକ ପାର୍କ, ଲାଇବ୍ରେରୀ, ପାଣିର ପର୍ୟ୍ୟାପ୍ତ ବ୍ୟବସ୍ଥା ମଧ୍ୟ ଠିକସମୟରେ କରାଯିବା ଉପରେ ପରାମର୍ଶ ଦେଇଥିଲେ । ଜନମୁରା ପଞ୍ଚାୟତର ସରପଞ୍ଚ ଅରବିନ୍ଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର ପଟେଲ ଜନସାଧାରଣଙ୍କ ସହଯୋଗ ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ଏକ ନୂତନକୋଠା ହୋଇପାରିଛି ବୋଲି ମତବ୍ୟକ୍ତ କରିଥିବାବେଳେ ସମିତି ସଭ୍ୟ ସୁବ୍ରତ କୁମାର ସେଠୀ ଓ ଜନମୁରା ଗ୍ରାମପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପାଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉଦଘାଟନୀ ସଭାରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶାଦିଦି ସହାୟିକା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ପଞ୍ଚାୟତର ଶତାଧିକ ଅଧିବାସୀମାନେ ଯୋଗଦେଇଥିଲେ ।