ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ରର ପ୍ରଥମ ନିମନ୍ତ୍ରଣ ଶ୍ରୀବଳଦେବଜୀଉଙ୍କୁ ଜଣାଇଥିଲେ ଚଳଚ୍ଚିତ୍ର ଟିମ୍
ଭୁବନେଶ୍ୱର-: ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୪ ତାରିଖ ବାହୁଡ଼ା ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି । ସେଥିପାଇଁ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଟିମ୍ ପ୍ରଥମ ନିମନ୍ତ୍ରଣ ନେଇ ଆଜି ସକାଳ୧୧ ଘଟିକାରେ କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲେ । ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି), ପ୍ରଯୋଜକ ଦିଲ୍ଲୀପ ଜେନା, ଅଭିନେତ୍ରୀ ଶିବାନୀ ସଂଗୀତା, ସୂର୍ଯ୍ୟମୟୀ, ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ଅଂଶୁମାନ ପ୍ରମୁଖ ମନ୍ଦିରରେ ପହଞ୍ଚି ବଡ଼ ଠାକୁରଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ପ୍ରକୃତରେ କ’ଣ ତାହା ବିସ୍ତୃତ ଭାବେ ଭକ୍ତଙ୍କୁ ଜଣାଇବା ପାଇଁ ସୌଭାଗ୍ୟଲକ୍ଷ୍ମୀଙ୍କର ଏହା ଏକ ନିଷ୍ଠ ପ୍ରଚେଷ୍ଟା । ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ଏହାକୁ ଏକ ବୃହତ କାନଭାସରେ ନିର୍ମାଣ କରାଯାଇଛି । ଏହାକୁ ଦର୍ଶକ ମାନଙ୍କ ପାଖରେ ପହଁଚାଇବା ପାଇଁ ସେ ପ୍ରଥମେ ଥିଏଟର ମାଧ୍ୟମରେ ଚେଷ୍ଟା କରିଥିଲେ ଏବଂ ସଫଳତା ମଧ୍ୟ ମିଳିଥିଲା । ସ୍ବପ୍ନ ଥିଲା ବଡ଼ ପରଦା ମାଧ୍ୟମରେ ସାରା ଜଗତକୁ ଜଣାଇବେ । ସେଇ ସ୍ବପ୍ନ ପୂରଣ ହେବାକୁ ଯାଉଛି ଏବଂ ଆସନ୍ତା ବାହୁଡ଼ା ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୪ ତାରିଖରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର ‘ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ଶିବାନୀ ସଂଗୀତା, ସୂର୍ଯ୍ୟମୟୀ ମହାପାତ୍ର, ପିଙ୍କି ପ୍ରଧାନ, କୁନା ତ୍ରିପାଠୀ, ଅଂଶୁମାନ, ଅଶ୍ରୁ୍ମୋଚନ ମହାନ୍ତି, ସାହେବ ସିଂହ, ପ୍ରତିଭା ପଣ୍ଡା, ରତନ ମେହେର ପ୍ରମୁଖ ଅଭିନୟ କରିଛନ୍ତି । ପ୍ରଯୋଜନା କରିଛନ୍ତି ଦିଲ୍ଲୀପ ଜେନା ଏବଂ ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି) । ନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି) । ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ, ଗୀତ ରଚନା କରିଛନ୍ତି ଡ. ଚନ୍ଦ୍ରଭାନୁ ଶତପଥୀ ଓ ଡ. ନିର୍ମଳ ନାୟକ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡ. ଚନ୍ଦ୍ରଭାନୁ ଶତପଥୀ ଏବଂ ମଳୟ ମିଶ୍ର, ପ୍ରଣୟ ଜେଠୀ କାର୍ଯ୍ୟକାରୀ ପ୍ରଯୋଜକ ଥିବାବେଳେ ଚିତ୍ରୋତ୍ତୋଳନ କରିଛନ୍ତି ଧୃବାନନ୍ଦ ପଣ୍ଡା । ସମ୍ପାଦନାରେ ସୁକୁମାର ମଣି, ବିଜିଏମ ଏବଂ ସାଉଣ୍ଡ ଏଫେକ୍ଟସରେ ବିଭୂତି ଭୂଷଣ ଗଡ଼ନାୟକ ଦାୟିତ୍ୱ ତୁଲାଇଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଅଛନ୍ତି ହରପ୍ରସାଦ ମହାପାତ୍ର ।