ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧକ୍ଷତାରେ ଆଜି ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ର ପ୍ରଥମ ବୈଠକ ବସିବ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ୮ ଜଣିଆ କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ବୈଠକ ଡାକିଛନ୍ତି। ଆଉ ଏହି ବୈଠକ ରାମନାଥ କୋବିନ୍ଦଙ୍କ ଦିଲ୍ଲୀ ବାସଭବନରେ ବସିବ। ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବାବେଳେ ଏନେଇ ୮ ଜଣିଆ କମିଟି ଗଠନ କରାଯାଇଥିଲା । ଏବଂ ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
ଏହି ବୈଠକରେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ଭାଗ ନେବେ । ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି । ଏବଂ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି। ତେବେ କମିଟିର ସଦସ୍ୟ ହେବାକୁ ମନା କରିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କମିଟି ନାମକୁ ମାତ୍ର ଗଠିତ ହୋଇଛି ବୋଲି କହିଥିଲେ।