ରାଜ୍ୟରେ ବର୍ଷା ପାଇଁ ଆସିଲା ଭଲ ଖବର

0

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଲା ପରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଥିଲା କିନ୍ତୁ ଲଘୁଚାପ ଦୁର୍ବଳ ହେବା ପରେ ଆଶା ମଉଳି ସାରିଥିଲା । ୨୫ଟି ଜିଲ୍ଲାରେ ଅଭାବୀ ବର୍ଷା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଆଗକୁ ବର୍ଷା ହେବା ନେଇ ସେପରି କିଛି ସୂଚନା ମିଳିପାରିନାହିଁ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ସ୍ପଷ୍ଟ କରିଛି । ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ କମିଯିବ। ଅଗଷ୍ଟ ଶେଷ ସପ୍ତାହରେ ବି ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ଚିନ୍ତାଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି। ତେବେ ଏହାରି ମଧ୍ୟରେ ରଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୭/୨୮ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହେବ । ପୂର୍ବ ଲଘୁଚାପ ପରି ଏହି ଲଘୁଚାପଟି ମଧ୍ୟ ସାମାନ୍ୟ ଦୁର୍ବଳ ରହିବ । ଏହା ସତ୍ତ୍ବେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଅଗଷ୍ଟରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ଆହୁରି ଦୂର ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆଜିଠାରୁ ୫ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା କ୍ଷୀଣ। କେନ୍ଦ୍ର କହିଛି, ୧ ଜୁନ୍ରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୫୬୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୯୭.୯ ମିମିଠାରୁ ୨୯% କମ୍ ରହିଛି। ଏହି ସମୟ ପରିଧି ମଧ୍ୟରେ ପାଖାପାଖି ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ଏଠାରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଏଥିସହ ଭଦ୍ରକରେ ୫୨%, କେନ୍ଦୁଝରରେ ୪୨% ଓ ବଲାଙ୍ଗୀରରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।