ଭୁବନେଶ୍ବର : MSCBUରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କଟିଯିବା ପ୍ରସଙ୍ଗ। ଘଟଣା ସଂପର୍କରେ ରିପୋର୍ଟ ମାଗିଲେ ରାଜ୍ୟପାଳ ଗଣେଶୀ ଲାଲ୍ । ମୁଖ୍ୟ ଶାସନ ସଚିବ ଓ MSCBUର କୁଳପତିଙ୍କୁ ରିପୋର୍ଟ ମାଗିଲେ। ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ।
ସୂଚନା ଅନୁସାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ବେଳେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର ଟ୍ରିପ୍ ଥିଲା । ଅନ୍ଧାର ଭିତରେ ମଧ୍ୟ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଜାରି ରଖିଥିଲେ । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି । ଲାଇନ ନଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ଅନ୍ଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ବନ୍ଦ କରିନଥିଲେ । ଏଥିଲାଗି ତାଙ୍କ ମନରେ ବିରକ୍ତିଭାବ ପରିଲକ୍ଷିତ ହୋଇନଥିଲା । ବରଂ ସେ କହିଥିଲେ, ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ ।