ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ରାଜ୍ୟପାଳ । ଲୋକଙ୍କ ସମସ୍ୟା ଉପରେ ବିଚାର ପାଇଁ ପରାମର୍ଶ । ଢେଙ୍କାନାଳ ଓ ଅନୁଗୁଳ ଗସ୍ତ କରିଥିଲେ ରାଜ୍ୟପାଳ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ । ସମସ୍ୟା ଗୁଡ଼ିକ ସମ୍ପର୍କରେ MICE ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାଗୁଡ଼ିକ ଉପରେ ବିଚାର କରି ରାଜ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖ୍ ଅବଗତି ନିମନ୍ତେ ଲୋକଙ୍କ ସମସ୍ୟାଗୁଡ଼ିକ ସଂଲଗ୍ନ କରିଛନ୍ତି । ସମସ୍ୟାଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ, ଯୋରନ୍ଦାରେ ଥିବା ବା ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହୁଛନ୍ତି। ମହର୍ଷି ଦୟାନନ୍ଦ ସେବା ମିସନ୍ ଦ୍ବାରା ବରିଷ୍ଠ ନାଗରିକ ଗୃହ ପରିଚାଳିତ ହେଉଛି। ଅନ୍ତେବାସୀମାନଙ୍କୁ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ବୃଦ୍ଧାଶ୍ରମ ଚାଲୁଥିବା ଜମିକୁ ମହର୍ଷି ଦୟାନନ୍ଦ ସେବା ମିଶନ୍ ନାମରେ କରିବାକୁ ମିଶନ୍ର ସେକ୍ରେଟାରୀ ଅନୁରୋଧ କରିଥିଲେ । ରାଜ୍ୟପାଳ ଅନୁଗୋଳ ବଅଁରପାଳ ବ୍ଲକ୍ ଅଧୀନ ତୁରଙ୍ଗ ପଞ୍ଚାୟତ ପରିଦର୍ଶନ ବେଳେ ଆଶା କର୍ମୀମାନେ ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ଗର୍ଭବତୀଙ୍କ କାଉନସେଲିଂ ପାଇଁ ମମତା ଗୃହ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ସେହି ପରି ମହାନଦୀ କୋଲ ଫିଲ୍ମ ଦ୍ବାରା ଖଣି କାର୍ୟ୍ୟ ପାଇଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ଦ୍ବାରା ଗ୍ରାମବାସୀ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଖରାଦିନେ ଭୂତଳ ଜଳସ୍ତର କମିଯାଉଛି। ଦୁଇବର୍ଷ ହେଲା ଆରପିଡିଏସି ବୈଠକ ବସୁନି। ଯାହାଫଳରେ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହେଉନି। କୃଷି କ୍ଷେତ୍ରରେ ପ୍ରଭୂତ କ୍ଷତି ଘଟୁଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀଙ୍କୁ ରୋକିବାକୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନି। କେବଳ ବାକିଥିବା ତାଙ୍କ ଗ୍ରାମକୁ ଏମ୍ସିଏଲ ଅଧୂଗ୍ରହଣ କରିନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସେମାନଙ୍କ ଜମି ଅଧୂଗ୍ରହଣ କରି ସରକାରୀ ନିୟମ ଅନୁସାରେ ଥଇଥାନ କରିବାକୁ ଦାବି ହେଉଛି। ସେହିପରି ଆଶ୍ରମ ସ୍କୁଲକୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଯୋଗାଇ ଦିଆଯାଉ। ବିଦ୍ୟାଳୟ ପରିସର ସଫା ରଖିବା ପାଇଁ ସୁଇପର ନିଯୁକ୍ତ କରାଯାଉ। ପିଲାଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିବାକୁ ଦାବି ହୋଇଛି। ଏହାସହ ବିଦ୍ୟାଳୟକୁ ୯ମ ଶ୍ରେଣୀ ପର୍ୟ୍ୟନ୍ତ ଉନ୍ନୀତକରଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନୁଗୋଳ ହାକିମପରା ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରିଥିଲେ ରାଜ୍ୟପାଳ । ହଷ୍ଟେଲରେ ପ୍ରାୟ ୧୭୮ ବାଳକ ଓ ବାଳିକା ରହୁଛନ୍ତି। ଏହା ସମ୍ପୂର୍ଣ ଅଣଅନୁଦାନପ୍ରାପ୍ତ। ଏହାର ପରିଚାଳନା ପାଇଁ ସମ୍ବଳର ଆବଶ୍ୟକତା ରହିଛି। ଏହି ଅନୁଷ୍ଠାନର ସୁପରିଚାଳନା ପାଇଁ ଆବଶ୍ୟକ ସହାୟତା ପ୍ରଦାନ ନେଇ ସରକାର ବିଚାର କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏହାବାଦ୍ ଅନୁଗୋଳ ଚାଷୀ ସୁରକ୍ଷା ସମିତି ପକ୍ଷରୁ ଚାଷୀମାନେ ଚକ ଜମି ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିବା ରାଜ୍ୟପାଳ ତାଙ୍କ ପତ୍ର ମାଧ୍ୟମରେ କହିଛନ୍ତି।