(ରଜନୀକାନ୍ତ ପାତ୍ର /ଗଞ୍ଜାମ): ହିଞ୍ଜିଳିକାଟୁ ପୌରାଞ୍ଚଳ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର। ଅଞ୍ଚଳର ଭୌଗଳିକ ସୀମାରେଖାରେ ମୁଖ୍ୟ ବଜାରର ଅବସ୍ଥିତି ସହ ଦିନକୁ ଦିନ ବଢୁଥିବା ଟ୍ରାଫିକ ଅନେକ ସମସ୍ୟା ସୃଷ୍ଟି କରୁଛି । ତେଣୁ ସ୍ଥିତି ଆହୁରି ଉତ୍କଟ ହେବା ପୂର୍ବରୁ ବାଇପାସ ନିର୍ମାଣ କରାଯିବା ଉଚିତ ହେବ। ଏନେଇ ପୂର୍ବରୁ ମଧ୍ୟ ଅନେକ ଥର ଦାବୀ ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏଯାଏଁ ଏ ବାବଦରେ କୌଣସି ପ୍ରକାରର ଅଗ୍ରଗତି ପରିଲକ୍ଷିତ ନହେବା ନେଇ ହିଞ୍ଜିଳିକାଟୁ ବିକାଶ ମଞ୍ଚ କ୍ଷୋଭ ପ୍ରକାଶ କରିଛି। ବାଇପାସ ନିର୍ମାଣ ପାଇଁ ପୂର୍ବରୁ ଗତ ୨୭ ତାରିଖରେ ମଞ୍ଚ ତରଫରୁ ଚିଠି ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ପ୍ରସ୍ତାବ ପ୍ରେରଣ କରାଯାଇଥିଲା । ପ୍ରସ୍ତାବକୁ ଗମ୍ଭୀରତାର ସହ ଗ୍ରହଣ କରି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଚିଠି ସଂଖ୍ୟା-୧୨୪୬୪/୩୦/୦୯/୨୦୧୯ ଜରିଆରେ ମୁଖ୍ୟ ଯନ୍ତ୍ରୀ, ଜାତୀୟ ରାଜପଥ ବିଭାଗ, ଓଡ଼ିଶାଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଏନେଇ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ମଞ୍ଚ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ସେହିପରି କରୋନା କଟକଣା କାରଣରୁ ସିଟିବସ ଚଳାଚଳର ପରିବର୍ତ୍ତିତ ବ୍ୟବସ୍ଥାକୁ ପୁନର୍ବାହଲ କରିବା ଓ ବିଭିନ୍ନ ଆୟୋଜନ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପକୁ ତୁରନ୍ତ ଖୋଲାଯିବା ନେଇ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ମଙ୍ଗଳବାର ହିଞ୍ଜିଳିକାଟୁ ବିକାଶ ମଞ୍ଚ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଞ୍ଚର ସଭାପତି ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।