ବ୍ୟୁରୋ : ନାରୀ ପାଇଁ ପବିତ୍ରତା ହେଉଛି ସବୁଠାରୁ ଦାମୀ ସମ୍ପଦ । ଯଦି ସ୍ୱାମୀ ବିନା ପ୍ରାମାଣିକ ତଥ୍ୟରେ ପତ୍ନୀଙ୍କ ପବିତ୍ରତା ଉପରେ ଆପତ୍ତି ଉଠାଏ ଓ ବ୍ୟଭିଚାର ଅଭିଯୋଗ ଆଣେ । ତେବେ ସେଭଳି ସ୍ୱାମୀଙ୍କ ସହିତ ରହିବା ପାଇଁ ପତ୍ନୀ ମନା କରିବା ସ୍ୱାଭାବିକ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି । ପରିବାର ଅଦାଲତର ଭରଣପୋଷଣ ନିର୍ଦ୍ଦେଶ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି ।
ପ୍ରକାଶ ଥାଉ କି, ପତ୍ନୀଙ୍କୁ ମାସିକ ୪ ହଜାର ଟଙ୍କା ଭରଣପୋଷଣ ଦେବାକୁ ନୟାଗଡ଼ ପରିବାର ଅଦାଲତ ପ୍ରଦାନ କରିଥିବା ୨୦୨୪, ସେପ୍ଟେମ୍ବର ୪ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ୱାମୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ପତ୍ନୀଙ୍କ ଚରିତ୍ରକୁ ନେଇ କୁତ୍ସାରଟନା ଅଭିଯୋଗକୁ ସ୍ୱାମୀ ପ୍ରମାଣ କରିନପାରିବାରୁ ପତ୍ନୀଙ୍କୁ ଅଲଗା ରହିବା ଯଥେଷ୍ଟ ବୋଲି ହାଇକୋର୍ଟ କହିଛନ୍ତି।
ପତ୍ନୀଙ୍କ କିଛି ଆୟ ନାହିଁ ଓ ସେ ନିଜ ଭରଣପୋଷଣ କରିବାରେ ଅସମର୍ଥ ବୋଲି ପ୍ରମାଣିତ ହେବା ପରେ ତାଙ୍କ ଭରଣପୋଷଣ ଦାୟିତ୍ବ ସ୍ୱାମୀଙ୍କ କର୍ତ୍ତବ୍ୟ। ଏଭଳି ସ୍ଥିତିରେ ସ୍ୱାମୀଙ୍କ ମାସିକ ଆୟ ପ୍ରାୟ ୧୫ ହଜାର ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କୁ ମାସିକ ୪ ହଜାର ଟଙ୍କା ପ୍ରଦାନ ପାଇଁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପରିବାର ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ସ୍ୱାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।