ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ମେ’ ୨୯ରେ କ୍ୱାଲିଫାୟର ଏବଂ ମେ’ ୩୦ରେ ଏଲିମିନେଟର ମ୍ୟାଚ ଖେଳାଯିବ । ଜୁନ ୧ରେ କ୍ୱାଲିଫାୟର-୨ ମ୍ୟାଚ ଅନୁଷ୍ଠିତ ହେବ ଏବଂ ଜୁନ ୩ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି ।
ତେବେ ଆଇପିଏଲ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଆଜି ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟ ରାଇଡର୍ସ (କେକେଆର)। ଅପ୍ରତ୍ୟାଶିତଭାବେ ୧୦ ଦିନର ବ୍ରେକ୍ ପରେ ଆରସିବି ଓ କେକେଆର ନିଜ ନିଜର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ । ତେବେ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିବ । ତାହା ହେଲା ପ୍ଲେ-ଅଫ୍ ଯୋଗ୍ୟତା । ଆରସିବି ଏବେ ୧୧ ମ୍ୟାଚରୁ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଉ ଗୋଟିଏ ବିଜୟ ଦଳର ପ୍ଲେଅଫ୍ ଯୋଗତା ପାଇଁ ପର୍ଯ୍ୟାପ୍ତ ହେବ । ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ କେକେଆର ୧୨ ମ୍ୟାଚରୁ ୧୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଦଳକୁ ଅବଶିଷ୍ଟ ଥିବା ସବୁ ମ୍ୟାଚ ଜିତିବାକୁ ହେବ ।