ଲଙ୍ଗଳ ଧରିଲେ ବିଧାୟିକା

0

ବ୍ୟୁରୋ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳନ କରାଯାଏ । ଚଳଚଞ୍ଚଳ ହୋଇ ଉଠିଛି ଚଷା ପୁଅ ଘର । ଆଜିର ଦିନରେ ଚଷା ପୁଅ ଅଖୀମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ କରିଥାଏ । ଯନ୍ତ୍ରପାତି ଯୁଗରେ ମଧ୍ୟ କୃଷକଟି ମୁଖ୍ୟତ ନିର୍ଭର କରେ ହଳ ଲଙ୍ଗଳ ଉପରେ । ସକାଳୁ ସକାଳୁ ଘରର ଗୃହିଣୀ ମାନେ ବେତ ଟୋକେଇ, ଧାନ ଗୋଣି, ଅମାରଧାନ ଇତ୍ୟାଦିକୁ ଚନ୍ଦନ ସିନ୍ଦୁର ଦେଇ ପୂଜା କରିଥାଆନ୍ତି । ପରେ ଚଷା ପୁଅ ସେହି ଧାନକୁ କ୍ଷେତକୁ ନେଇଥାଏ ଏବଂ କ୍ଷେତର ଏାଶନ୍ୟ କୋଣରେ ମା ଲକ୍ଷ୍ମୀଙ୍କ ପୂଜା କରି ଅଖୀମୁଠି ଅନୂକୂଳ କାର୍ଯ୍ୟ ଆରମ୍ଭ କରିଥାଏ । ଓଡିଶାର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ଏହି ପର୍ବ ।

ଗଞ୍ଜାମ କବିସୂର୍ଯ୍ୟ ନଗରର ବିଧାୟିକା ଲତିକା ପ୍ରଧାନ କୋଦଳା ଠାରେ ଚାଷୀଙ୍କ ସହ ଯୋଗ ଦେଇ ପୂଜାଅର୍ଚ୍ଚନା କରି ଅଖୀମୁଠି ଅନୁକୂଳ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ହଳ ବୁଲାଇବା ସହ ଅଖୀମୁଠି ଅନୁକୂଳ କରିଥିଲେ । ସାଲେପୁରରେ ମଧ୍ୟ କୃଷକ ମାନେ ନିଜ ନିଜ ଜମିରେ ପହଞ୍ଚି ଅଖୀମୁଠି ଅନୁକୂଳ କରିଛନ୍ତି ।ଏହି ଅବସରରେ ସୁବର୍ଣ୍ଣପୁର ଠାରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷକ ଦିବସ ପାଳନ ହୋଇ ଯାଇଛି । ମନ୍ତ୍ରୀ ନିରଞ୍ଚନ ପୂଜାରୀ ମଧ୍ୟଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ବିତ୍ତିକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।