ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି ମନ୍ତ୍ରୀ|ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ସର୍ଗିଫୁଲର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ଉପାସକ ।
ସମୟାନୁକ୍ରମେ ଜନଜାତି ସମ୍ପ୍ରଦାୟ ସର୍ଗିଫୁଲ ବା ଶାଳ ଫୁଲକୁ ଖାଦ୍ୟ ଭାବେ ଗ୍ରହଣ କରିଆସୁଥିଲେ । ପରେ ଏହାକୁ ଜାହିରା ଭାବେ ପୂଜା କରିବା ଆରମ୍ଭ କରିଥିଲେ ତେଣୁ ସର୍ଗିଫୁଲ ହେଉଛି ପ୍ରେରଣାର ଉତ୍ସ । ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା ମଧ୍ୟ କହିଛନ୍ତି ଯେ କିଶୋର ସୃଜନଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ସର୍ଗିଫୁଲ ଉତ୍ସବ ଆରମ୍ଭ ।
ଆମ ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି ଦକ୍ଷତା ଓ ସାମର୍ଥ୍ୟ ରଖିଛନ୍ତି । ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ ଦେଖାଇବା ହେଉଛି ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି । ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୦ ଗାଇଡ୍ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି ।