ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବା ପାଇଁ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ଅନୁସାରେ ଖଲିସ୍ତାନୀଙ୍କ ଆତଙ୍କ ଓ ଅପରାଧ ନେଟଓ୍ବର୍କ ନଷ୍ଟ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏଥିପାଇଁ ଦେଶର ସମସ୍ତ ଗୁଇନ୍ଦା ଏଜେନ୍ସି ଏକାଠି ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ଖଲିସ୍ତାନୀ କାର୍ୟ୍ୟକଳାପ, ଆତଙ୍କବାଦୀ କାର୍ୟ୍ୟକଳାପ, ପାଣ୍ଠି ଯୋଗାଣ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଅକ୍ଟୋବର ୫ରୁ ୬ ତାରିଖ ପର୍ୟ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଏହି ବଡ଼ ବୈଠକ ଡକାଯାଇଛି। ଏହି ବୈଠକରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଜମ୍ମୁ-କଶ୍ମୀର, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏନସିଆରର ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର କାର୍ୟ୍ୟକଳାପର ମେରୁଦଣ୍ଡ ଭାଙ୍ଗିବା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରିବେ।