ଉତ୍ତର ଭାରତର ଅତି ପବିତ୍ର ତୀର୍ଥ ସ୍ଥାନ, ଯେଉଁଠି ଶରୀର ତ୍ୟାଗ କରିବା ମାତ୍ରେ ସିଧାସଳଖ ପରମାତ୍ମାରେ ବିଲୀନ ହୋଇଯାଇଥାଏ

ପୃଥିବୀରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଭଗବାନ ୬ମାସ ଧରି ନିବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

0

କାଶୀ : ଶାସ୍ତ୍ରରେ କୁହାଯାଇଛି ଯେ ଆତ୍ମାର ଅନ୍ତିମ ଲକ୍ଷ୍ୟ ହେଉଛି ପରମାତ୍ମାଙ୍କ ସହ ମିଳନ । ସେଥିପାଇଁ ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀର ମଧ୍ୟକୁ ଘୂରି ବୁଲିଥାଏ । ଧର୍ମଗ୍ରନ୍ଥରେ ମୋକ୍ଷ ପ୍ରାପ୍ତିର ଅନେକ ବିଧି ଏବଂ ବ୍ରତ ସମ୍ପର୍କରେ ବର୍ଣ୍ଣନା ରହିଛି । ଏଥିସହିତ କେତେକ ଏପରି ପବିତ୍ର ସ୍ଥାନ ରହିଛି ଯେଉଁଠି ଶରୀର ତ୍ୟାଗ କରିବା ମାତ୍ରେ ଆତ୍ମାର ଆବାଗମନ ଚକ୍ରରୁ ମୁକ୍ତି ମିଳଥାଏ ଏବଂ ଆତ୍ମା ସିଧାସଳଖ ପରମାତ୍ମାରେ ବିଲୀନ ହୋଇଯାଇଥାଏ । ସେଥିପାଇଁ ଏହି ସବୁ ସ୍ଥାନରେ ଦେହତ୍ୟାଗର କାମନା କରିଥାଏ ପ୍ରତ୍ୟେକ ଆତ୍ମା । ତେବେ ଅତିଭାଗ୍ୟଶାଳୀ ଲୋକଙ୍କୁ ହିଁ ପବିତ୍ର ସ୍ଥାନରେ ଦେହତ୍ୟାଗ କରିବାର ସୁଯୋଗ ଜୁଟିଥାଏ । ଭଗବାନ ବିଷ୍ଣୁ ଯେଉଁ ସ୍ଥାନରେ ନିବାସ କରିଥାନ୍ତି, ତା’କୁ ବୈକୁଣ୍ଠ କୁହାଯାଇଥାଏ ।

ପୃଥିବୀରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଭଗବାନ ୬ମାସ ଧରି ନିବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏହି ସ୍ଥାନକୁ ବୈକୁଣ୍ଠ କୁହାଯାଇଥାଏ । ଏହି ପବିତ୍ର ସ୍ଥାନ ହେଉଛି ବଦ୍ରିନାଥ ତୀର୍ଥ । ମର୍ତ୍ତ୍ୟର ବୈକୁଣ୍ଠ ରୂପେ ପ୍ରସିଦ୍ଧ ଏହି ସ୍ଥାନରେ ଦେହତ୍ୟାଗ କରୁଥିବା ଆତ୍ମାର ମିଳନ ପରମାତ୍ମାଙ୍କ ସହ ହୋଇଥାଏ । ଅକାଳ ମୃତ୍ୟୁ କାରଣରୁ ଯେଉଁ ବ୍ୟକ୍ତିର ଆତ୍ମା ଘୂରି ବୁଲୁଥାଏ, ସେହି ବ୍ୟକ୍ତିର ଅନ୍ତିମ ସଂସ୍କାର ବଦ୍ରିନାଥରେ କରାଗଲେ ତା’କୁ ମୁକ୍ତି ମିଳିଥାଏ । ଏହିପରି ଏକ ପବିତ୍ର ସ୍ଥାନ ହେଉଛି କାଶୀ । ଏହି ସହର ଭଗବାନ ଶିବଙ୍କ ତ୍ରୀଶୂଳ ଉପରେ ବିରାଜମାନ ବୋଲି ବିଶ୍ୱାସ କରାଯାଇଥାଏ ।

ଦେବ ଦେବ ମହାଦେବ କାଶୀର କଟୁଆଳ ରୂପେ କାଳଭୈରବଙ୍କୁ ନିଯୁକ୍ତ କରିଛନ୍ତି । ଏହି ସ୍ଥାନକୁ ଯମରାଜ ଏବଂ ଯମଦୂତଙ୍କ ପ୍ରବେଶ ବର୍ଜିତ । ସେଥିପାଇଁ ଏଠାରେ ଦେହତ୍ୟାଗ କଲେ ନର୍କ ପ୍ରାପ୍ତି ହୋଇନଥାଏ । ଧାର୍ମିକ ନଗରୀ କାଶୀରେ ଦେହତ୍ୟାଗ କରୁଥିବା ବ୍ୟକ୍ତିର ଭଲମନ୍ଦ କର୍ମର ବିଚାର କାଳଭୈରବ କରିଥାନ୍ତି । କାଳଭୈରବଙ୍କ ଦଣ୍ଡରୁ ମୁକ୍ତ ହେବା ପରେ ଦେହତ୍ୟାଗ କରୁଥିବା ଆତ୍ମା ନିଶ୍ଚିତ ରୂପେ ପରମାତ୍ମା ସହ ମିଳିତ ହୋଇଥାଏ । ଉତ୍ତରାଖଣ୍ଡର ପବିତ୍ର ଭୂମିରେ ରହିଛି କେଦାରଖଣ୍ଡ । ଏହି ଠାରେ ହିଁ ରହିଛି ଭଗବାନ ଶିବଙ୍କ ପବିତ୍ର ଧାମ କେଦାରନାଥ । ଏହା ହେଉଛି ମହାଶ୍ମଶାନ ଭୂମି ।

ମହାଶିବରାତ୍ରୀ କଥାରେ ରହିଥିବା ବର୍ଣ୍ଣନା ଅନୁଯାୟୀ କେଦାରନାଥ ଧାମରେ ଦେହତ୍ୟାଗ କରୁଥିବା ପ୍ରାଣୀର ଆତ୍ମାକୁ ଶିବଗଣମାନେ ଶିବଲୋକକୁ ନେଇଯାଇଥାନ୍ତି । ଏହି କାରଣରୁ ପ୍ରାଚୀନ କାଳରେ ଜୀବନର ମୋହରୁ ମୁକ୍ତ ହୋଇସାରିଥିବା ଲୋକମାନେ କେଦାରନାଥ ଏବଂ ବଦ୍ରିନାଥ ଯାତ୍ରା କରୁଥିଲେ । ଯେଉଁ ବ୍ୟକ୍ତି କେଦାରନାଥ ଏବଂ ବଦ୍ରୀନାଥ ଯାତ୍ରା କରିଥାଏ, ସେ ଜୀବନମରଣ ଚକ୍ରରୁ ମୁକ୍ତି ପାଇଥାଏ । ଚାରି ଧାମର ସ୍ଥାପନା କରିଥିବା ଭଗବାନ ଶଙ୍କରଙ୍କ ଅଂଶାବତାର ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏହି ଠାରେ ହିଁ ଦେହତ୍ୟାଗ କରିଥିଲେ ।

ପୃଥିବୀରେ ହରିଙ୍କ ଧାମ ବଦ୍ରିନାଥ ହୋଇଥିବା ବେଳେ ସେହି ଧାମ ନିକଟରେ ପହଞ୍ଚିବାର ଦ୍ୱାର ହେଉଛି ହରିଦ୍ୱାର । ଏହି ସ୍ଥାନରେ ଭଗବାନ ମହାଦେବଙ୍କ ମସ୍ତକରୁ ଓହ୍ଲାଇବା ପରେ ବିଷ୍ଣୁଙ୍କ ଚରଣ ଧୋଇ ପବିତ୍ର ଗଙ୍ଗା ନଦୀ ପ୍ରଥମ ଥର ସମତଳଭୂମିରେ ପ୍ରବେଶ କରିଛି । ହରିଦ୍ୱାରକୁ ଶାସ୍ତ୍ରରେ କନଖଲ କ୍ଷେତ୍ର ବୋଲି କୁହାଯାଇଛି । ଏଠାରେ ଦେବୀ ସତୀଙ୍କ ପିତା ପ୍ରଜାପତି ଦକ୍ଷ ମହାଯଜ୍ଞର ଆୟୋଜନ କରିଥିଲେ । ଏହି ଠାରେ ହିଁ ଅଗ୍ନି କୁଣ୍ଡରେ ପ୍ରବେଶ କରି ଦେବୀ ସତୀ ଆତ୍ମଦାହ କରିଥିଲେ । ସେଥିପାଇଁ ହରିଦ୍ୱାରକୁ ତପୋଭୂମି କୁହାଯାଇଥାଏ । ଏହି ସ୍ଥାନରୁ କିଛି ଦୂରରେ ସପ୍ତଋଷି ତପସ୍ୟା କରିଥିଲେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଏହି ଠାରେ ଗଙ୍ଗା ତଟରେ ଯେଉଁ ବ୍ୟକ୍ତି ପ୍ରାଣ ତ୍ୟାଗ କରିଥାଏ ସେ ସିଧାସଳଖ ବିଷ୍ଣୁଙ୍କ ପରମଧାମ ପ୍ରାପ୍ତି କରିଥାଏ ।