ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା ଫିଲ୍ମ ‘ଛାୱା’ । ଯାହାପରେ ଏବେ ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳୁଛି । ଏହି ଫିଲ୍ମରେ ଭିକ୍କି କୌଶଲ ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟିର ଭାବେ ପରିବେଷଣ କରାଯାଇଛି ।
ଗତ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଥିଲେ , ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ସିନେମା ଛାୱାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମୁଁ ଘୋଷଣା କରୁଛି । ସେପଟେ ଫିଲ୍ମର କ୍ରେଜ୍ ଖାଲି ମଧ୍ୟପ୍ରଦେଶରେ ନୁହଁ ସାରା ଦେଶରେ ମଧ୍ୟ ଦେଖିବାକୁ ମିଳୁଛି । ଖାସ୍ କରି ମହାରାଷ୍ଟ୍ରରେ , ସିନେମା ଘରମାନଙ୍କରେ ବୀର ସମ୍ଭାଜୀ ମହାରାଜଙ୍କ ପରାକାଷ୍ଠାକୁ ଦେଖି କାନ୍ଦି ପକାଉଛନ୍ତି ମରାଠା ମାନୁଷ୍ । ମରାଠୀ ଭାଷାରେ ମହାରାଜଙ୍କର କରୁଛନ୍ତି ଗୁଣଗାନ । ତେବେ ମଧ୍ୟପ୍ରଦେଶରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ପ୍ରଥମେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା ।
ଛାୱାର ଅର୍ଥ ହେଉଛି ମରାଠୀ ଭାଷାରେ ବାଘର ଛୁଆ । ଛତ୍ରପତି ସାମ୍ବାଜୀ ମହାରାଜଙ୍କ ଏହି ଚରିତ୍ର ପାଇଁ ଏବେ ସବୁଠି ପ୍ରଶଂସା ଓ ଚର୍ଚ୍ଚା ସାଉଁଟିଛନ୍ତି ଅଭିନେତା ଭିକ୍କି କୌଶଲ । ଏହି ଚରିତ୍ରରେ ଓହ୍ଲାଇବା ପାଇଁ ଭିକ୍କିଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । ସାମ୍ବାଜୀ ଚରିତ୍ରରେ ପରଫେକ୍ଟ ଦେଖାଯିବା ପାଇଁ ଦିନରାତି ଏକ କରି କସରତ ସହ ଘୋଡା ଚାଳନା, ଖଣ୍ଡା ଚାଳନା ଠାରୁ ଆରମ୍ଭ କରି ଡାଏଟ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ଦିନକୁ ୬ ରୁ ୮ ଘଣ୍ଟାର ଲାଠି ଚାଳନା,ଖଣ୍ଡା ଚାଳନା ଓ ଘୋଡା ଚାଳନା ଶିଖୁଥିଲେ ଅଭିନେତା । ଏଥିସହ ୨୫ କେଜି ଓଜନ ମଧ୍ୟ ବଢ଼ାଇଥିଲେ । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ପରେ ଛାୱା ଭୂମିକା ପାଇଁ ନିଜକୁ ଗଢ଼ିଥିଲେ ଭିକି ।