ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆଜି ଠାରୁ ଆରମ୍ଭ ହେବ। କୋଭିଡ୍ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ। ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହରେ ଖେଳ ପିରିୟଡ୍, ଲାଇବ୍ରେରି ପିରିୟଡ୍, ପ୍ରାକ୍ଟିକାଲ ପିରିୟଡ୍ ଆଦି ରହିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ୟ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବା ସହ ଆଗୁଆ ସକାଳୁଆ ସ୍କୁଲ କରିପାରିବେ। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ବିଦ୍ୟାଳୟ ଲାଗି ଏହା ଲାଗୁ ହେବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଆଜି ଠାରୁ ଏପ୍ରିଲ ୮ ପର୍ୟ୍ୟନ୍ତ ନାମଲେଖା ଲାଗି ସଚେତନତା କାର୍ୟ୍ୟକ୍ରମ ଓ ଉତ୍ସବ ଆଦି ଅନୁଷ୍ଠିତ ହେବ। ମେ’ ୫ରୁ ଗ୍ରୀଷ୍ମ ଛୁଟି ଦିଆଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ରଜ ମହୋତ୍ସବ ସରିବା ପରେ ଅର୍ଥାତ୍ ଜୁନ୍ ୧୮ରୁ ପୁଣିଥରେ ପାଠପଢ଼ା ଆରମ୍ଭ କରାଯିବ। ସେପଟେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଇତିମଧ୍ୟରେ ଘୋଷଣା କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ୟ୍ୟନ୍ତ ଚାଲିବ