ଭୁବନେଶ୍ୱର:ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ନବ କଳେବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି । ଆଜି ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ।ଲୋକସେବା ଭବନ କନଭେନସନ ସେଣ୍ଟରରେ ମନ୍ତ୍ରୀମାନେ ନେବେ ଶପଥ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ୨୦ ମନ୍ତ୍ରୀ ଦେଇଥିଲେ ଇସ୍ତଫା । ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ନେତାଙ୍କୁ ଯାଇଛି ଫୋନ୍ କଲ । ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶପଥ ନେବାକୁ ଥିବା ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ ସେଥିରେ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ୮ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇବେ ଓ ୧୩ ଜଣଙ୍କ ନୂଆମୁହଁ ସାମିଲ ହୋଇଛି । ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ମୋଟ ୧୨ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି।ଫୋନକଲ ପାଇଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବିଜେପୁର ବିଧାୟିକା ରୀତା ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପଶ୍ଚିମ ଓଡ଼ିଶାର ଯୁବ ନେତା ଭାବେ ଜଣାଶୁଣା ରୋହିତ ପୂଜାରୀ । ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପାଖକୁ ମଧ୍ୟ ଫୋନକଲ ଯାଇଛି ।