ବ୍ରହ୍ମଗିରି/ସୁଜିତ ସାହୁ: ନୋଡାଲ୍ ସ୍କୁଲର ମାନ୍ୟତା ମିଳିଛି କିନ୍ତୁ ଅସଜଡା ହୋଇ ପଡିରହିଛି ଭିତିଭୂମି। ନାହିଁ ନାହିଁରେ ଚାଲିଛି ଶିକ୍ଷା ବ୍ୟବସ୍ଥା। ଛାତ୍ର ଛାତ୍ରୀଙ୍କ ଭବିଶ୍ୟତକୁ ନେଇ ଉଠୁଛି ପ୍ରଶ୍ନ। ଗୋଟିଏ ଗୃହରେ ପଢୁଛନ୍ତି ୩ଟି ଶ୍ରେଣିର ପିଲା। ଆମେ କହୁଛୁ ପୁରୀ ଜିଲ୍ଲା ବ୍ରହ୍ମଗିରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ ଭିତରର । ଅତି ବିପଦସଂକୁଳ ଅବସ୍ଥାରେ ପଡିରହିଛି କିଛି ଶ୍ରେଣୀଗୃହ ।ଗତ ଫନିବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଏହିସବୁ ଘରର କାନ୍ଥ ଉପରେ ମାଡିଗଲାଣି ବିଭିନ୍ନ ପ୍ରଜାତିର ଲଟାଗଛ।ଏପରିକି ବଡ ବଡ ବର ଓ ଅଶ୍ବସ୍ତ ଗଛ ଉଠିବା ଫଳରେ ଫାଟି ଦୁର୍ବଳ ହୋଇ ପଡିରହିଛି ଏହିସବୁ ଘରର କାନ୍ଥ।
ଖାଲି ସେତିକି ନୁହେଁ ଘରଟି ପରିତକ୍ତ ଅବସ୍ଥାରେ ପଡିରହିଥିବାରୁ ସଂଧ୍ୟା ହେଲେ ପାଲଟୁଛି ମଦ୍ୟପ ଓ ଅପରାଧିଙ୍କ ଆଡାସ୍ଥଳି। ଘରସାରା ବିଛା ହୋଇ ପଡିଛି ପ୍ଲାଷ୍ଟିକ ଗ୍ଲାସ ସାଙ୍ଗକୁ ମଦ ବୋତଲ। ଯାହା ବିଦ୍ୟାଳୟ ପରିବେଶ ଆଡକୁ ଆଙ୍ଗୁଳି ନିର୍ଦେଶ କରିଛି।ବର୍ଷ ବର୍ଷ ଧରି ଘରଟି ଏଭଳି ବିପଦସଂକୁଳ ଅବସ୍ଥାରେ ପଡିରହିଥିବାରୁ ସ୍କୁଲ୍ ଆସିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ।ଘରଟିକୁ ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି ହେଉଥିଲେ ମଧ୍ୟ ଚୁପ ବସିଛନ୍ତି ବିଭାଗୀୟ ଅଧିକାରୀ। ସବୁଠାରୁ ବଡକଥା ହେଉଛି ସ୍କୁଲରେ ରହିଛି ୫ଟି ଶ୍ରେଣି ଗୃହ । ମାତ୍ର ୫ଟି ଗୃହରେ ଫଢୁଛନ୍ତି ୮ଟି କ୍ଲାସର ଛାତ୍ରଛାତ୍ରୀ।ଅନ୍ୟପଟେ ଉନ୍ନତମାନର ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟର ମାସ ମାସ ଧରି ଏଭଳି ଅଚଳ ଅବସ୍ଥାରେ ପଡିରହିଛି ଏସବୁ ସରଞ୍ଜାମ।ଶିକ୍ଷା ବିଭାଗକୁ ସରକାର ଅଧିକ ଗୁରୁତ୍ବ ଦେଉଥିବା ନେଇ ଡିଡିମ୍ବ ପିଟୁଥିବା ବେଳେ,, ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଶ୍ୟତକୁ ନେଇ ଉଠିଛି ପ୍ରଶ୍ନ।