ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି

0

ବ୍ୟୁରୋ :   ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଏବେ ଚିନ୍ତାର କାରଣ ପାଲଟିଛି । ଆଉ ଏବେ ୪୮ ଘଣ୍ଟା ମଧ୍ୟରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୪ ଜଣ ପଜିଟିଭ ରୋଗୀ ବାହାରିଥିଲେ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି ହୋଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବା ସହ ହାତଗୋଡ଼ ଓ ତଣ୍ଟି ବିନ୍ଧିବ ଓ ଝାଡ଼ା ଏବଂ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ଏହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚର୍ମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍ କୁହାଯାଇଥାଏ।ତେଣୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ ସିଡିଏମଓ ପରାମର୍ଶ ଦେଇଛନ୍ତି ।