ବ୍ୟୁରୋ : ବାରବାଟୀରେ ମ୍ୟାଚ୍ ମଝିରେ ଲିଭିଲା ଲାଇଟ୍ । ଅଧାରୁ ବନ୍ଦ ଥିଲା ଖେଳ । ଏହି ବିଭ୍ରାଟକୁ ନେଇ ତେଜୁଛି ରାଜନୀତି । ଇଣ୍ଡିଆନ ଟିମର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ । ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ । ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା । ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା । ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ହେଲା? ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ । ଏହା ଓସିଏର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।
ଏହା ଯୋଗୁଁ ରାଜନୀତି ଜୋର ଧରିଛି । ରାଜ୍ୟ ସରକାର ଓ ଓସିଏକୁ ଘେରିଛନ୍ତି ବିରୋଧୀ । ଟୁଇଟ୍ କରି ବିଜେଡି ନେତା ପ୍ରତାପ ଜେନା ରାଜ୍ୟ ସରକାର ଓ ଓସିଏକୁ କଡ଼ା ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏହା କେବଳ ପରିଚାଳନା ତୃଟି ନୁହେଁ, ଏହା ଓଡ଼ିଆ ଅସ୍ମିତା ଉପରେ ଜୋର ଆଘାତ ।
ଓଡ଼ିଶା, ଯେଉଁଠି ଦୁଇଥର ହକି ୱାର୍ଲ୍ଡ କପ୍ ଅୟୋଜନ ହୋଇ ଆନ୍ତର୍ଜାତୀୟ ମାନ୍ୟତା ମିଳିଛି, ସେହି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଦରମିଆନ ତିନିଥର ଫ୍ଲଡଲାଇଟ୍ ବନ୍ଦ! ଏହା କେବଳ ପରିଚାଳନା ତ୍ରୁଟି ନୁହେଁ, ଏହା ଓଡ଼ିଆ ଅସ୍ମିତା ଉପରେ ଜୋର ଆଘାତ!
ବାରବାଟୀ କେବଳ ଏକ ଷ୍ଟାଡିୟମ ନୁହେଁ, ଏହା କଟକିଆଙ୍କ ଗର୍ବ ଏବଂ ଜୀବନର ଏକ… pic.twitter.com/aOZ0Gioy5L
— Pratap Jena (@jenapratap66) February 9, 2025
ସେପଟେ କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ଫ୍ଲଡ ଲାଇଟ୍ ଲିଭିବା ପ୍ରସଙ୍ଗରେ ଓସିଏ ପାଖରୁ ରିପୋର୍ଟ ମଗାଯିବ । ଅନ୍ୟପଟେ ବିଧାୟିକା ସୋଫିଆ ଫିରଦୋସ ମଧ୍ୟ ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ ଅଜବ ସଫେଇ ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । କହିଛନ୍ତି, ଜେନେରେଟର୍ ଆସିବା ବାଟରେ ଖେଳାଳିଙ୍କ ବସ୍ ରହିଯାଇଥିଲା । ରାସ୍ତାରେ ବସ୍ ଥିବାରୁ ଲାଇଟ୍ ଆସିବାରେ ହେଲା ବିଳମ୍ୱ । ଖେଳାଳିଙ୍କ ବସ୍ ଛାଡ଼ି ଖେଳ ଦେଖୁଥିଲେ ଡ୍ରାଇଭର୍ । ଡ୍ରାଇଭରଙ୍କୁ ଫୋନ୍ କରି ଡକାଯାଇଥିଲା ଓ ଜେନେରେଟର ଆସିବା ପରେ ଫ୍ଲଡ ଲାଇଟ ଜଳିଥିଲା ବୋଲି କହିଛନ୍ତି ଓସିଏ ସଂପାଦକ ।