ଫର୍ମ ପୂରଣରେ ତ୍ରୁଟି ଲାଗି ଆବେଦନ ବାତିଲ କଲା ଓପିଏସସି

ପରୀକ୍ଷାରୁ ବଞ୍ଚିତ ହେବେ ୭୦୩୯ ଆଶାୟୀ

0

କଟକ: ଓଡି଼ଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା – ୨୦୨୨ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦୩୯ ପରୀକ୍ଷାର୍ଥୀଙ୍କ ଆବେଦନକୁ ଖାରଜ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଫର୍ମପୂରଣ ଜନିତ ତ୍ରୁଟି କାରଣରୁ ଆଦେଦନକୁ ନାକଚ କରାଯାଇଛି। ଓପିଏସସି ବୋଝ ହାଲୁକା ଲାଗି ଏପରି କରିଥିବା ଆବେଦନକାରୀମାନେ କହିଛନ୍ତି। ସୂଚନା ଅନୁସାରେ ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା – ୨୦୨୨ ଲାଗି ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜାନୁଆରୀ ୧୦ ତାରିଖରୁ ଆବେଦନ ଆରମ୍ଭ ହୋଇ ଫେବୃଆରୀ ୧୮ ତାରିଖରେ ଶେଷ ହୋଇଥିଲା। ଓଡି଼ଶା ସିର୍ଭିଲ ସର୍ଭିସ (ଗ୍ରୁପ ଏ ଓ ବି) ଲାଗି ମୋଟ ୪୦୫ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିଥିଲା। ତେବେ ଅନଲାଇନ ଫର୍ମ ପୂରଣରେ ଅଭ୍ୟସ୍ତ ନଥିବା ଆଶୀୟଙ୍କର ଫର୍ମ ପୂରଣରେ ବ୍ୟାପକ ତ୍ରୁଟି ରହିଥିଲା। ଆବେଦନରେ ବ୍ୟକ୍ତିଗତ ବିବରଣୀ, ଠିକଣା ବିବରଣୀ, ଫିଜିକାଲ ମେଜମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ତଥା ଅନ୍ୟ ପ୍ରମାଣପତ୍ରର ବିବରଣୀ ଅପଲୋଡ ହୋଇନଥିବାରୁ ଆବେଦନକୁ ଖାରଜ କରାଯାଇଥିବା ଓପିଏସି ପକ୍ଷରୁ କୁହାଯାଇଛି। ଦରଖାସ୍ତ ବାତିଲ କରାଯିବାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନଙ୍କୁ ଆବେଦନ ଲାଗି ପୁଣି ଥରେ ସୁଯୋଗଦେବାକୁ ଦାବି ହୋଇଛି। ପୂର୍ବରୁ ପରୀକ୍ଷା ଫି ଦେଉନଥିବା ଆବେଦନକାରୀଙ୍କର ଦରଖାସ୍ତ ଖାରଜ କରାଯାଉଥିଲା। ଓସିଏସ ପରୀକ୍ଷାଟି ତ୍ରିସ୍ତରୀୟ ପରୀକ୍ଷା ହୋଇଥିବାରୁ ଏମାନଙ୍କ ପାଇଁ ସମୟ ସୁଯୋଗ ରହିଲେ ଭଲ ହେବ। ସବୁ ଦିଗକୁ ବିଚାର କରି ପୁନର୍ବାର ଯାଞ୍ଚ କରାଗଲେ ଭଲ ହେବ ବୋଲି ଓପିଏସସିର ଜଣେ ପୂର୍ବତନ ସଭ୍ୟ କହିଛନ୍ତି। ତେବେ ଏତେ ସଂଖ୍ୟକ ଆଶାୟୀଙ୍କ ପରୀକ୍ଷା ଦେବାରୁ ବଞ୍ଚିତ କରିବାକୁ ନେଇ ବୁଦ୍ଧିଜୀବୀ ଓ ଅଭିଭାବକମାନେ ନାପସନ୍ଦ କରିଛନ୍ତି।