କଟକ : ଏବେ ଲୋକଙ୍କୁ ଘାରିଛି ବଡଲୋକ ହେବାର ନିଶା । କେମିତି ରାତାରାତି ମାଲେମାଲ ହେବେ । ଏଭଳି ରାସ୍ତାକୁ ବାଛି ନେଇ ଯୁବପିଢି ଏବେ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଯେପରିକି ଜୁଆଖେଳ । ଏଥିରେ ବଡଲୋକ ତ ହେଉ ନାହାନ୍ତି ବରଂ କଷ୍ଟ ଅର୍ଜିତ ଧନକୁ ବରବାଦ କରୁଛନ୍ତି । ଏଭଳି ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୩୦ ଜଣ ଯୁଆଡିଙ୍କୁ ଧରିବାରେ ସଫଳ ହୋଇଛି କଟକ ଜିଲ୍ଲା ଜଗତପୁର ଥାନା ପୋଲିସ । ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସମେତ ୪ ଟି ବାଇକ,୩୧ ଟି ମୋବଇଲ ଫୋନ୍ ଏବଂ ଜୁଆଖେଳ ପାଇଁ ବ୍ୟବହୃତ ତାସ,ଟୋକନ କୁ ଜବତ କରିବା ସହ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କ୍ରିଷ୍ଣା ରାଓ ମଧ୍ୟ ପୋଲିସ ଜାଲରେ ପଡିଛି । ଜଗତପୁର ଆଇବି ରୋଡର ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଡିସିପିଙ୍କ ନିକଟରେ ଖବର ପହଂଚିଥିଲା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେସିଆଲ ସ୍କାର୍ଡ ଅଧିକାରୀ ତାପସ ପ୍ରଧାନ, ଜଗତପୁର ଥାନା ଅଧିକାରୀ ଏବଂ ଏସିପି ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ୟାଙ୍କକୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା । ପରେ ଜୁଆ ଖେଳ ଚାଲୁଥିବା ସମୟରେ ହିଁ ଅତର୍କିତ ରେଡ କରି ସମସ୍ତଙ୍କୁ କାବୁ କରି ନେଇଥିଲା ପୋଲିସ । କାବୁ କରିଥିବା ଜୁଆଡି ଙ୍କ ମଧ୍ୟରୁ ଅଭିଯୁକ୍ତ କ୍ରିଷ୍ଣା ରାଓ ଯୁବକ ଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ କ୍ରିଷ୍ଣା ରାଓ ହିଁ ଏହି ଜୁଆଖେଳ ର ମାଷ୍ଟର ମାଇଣ୍ଡ ବୋଲି କହିଛନ୍ତି ଏସିପି ଅରୁଣ ସ୍ୱାଇଁ ।