ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମାଆ ଘରେ ତିଆରି କରିଥିବା ‘ବର୍ଫି’ ୟୁକ୍ରେନ୍ର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଖାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଏହି ଘଟଣାଟି ହେଉଛି ଫେବ୍ରୁଆରି ମାସରେ ଜେଲେନ୍ସ୍କିଙ୍କ ଇଂଲଣ୍ଡ ଗସ୍ତ ସମୟର। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହାର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । କିଛି ଦିନ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଏକ ବୈଠକ ଚାଲିଥିବା ବେଳେ ଭୋକ ଅନୁଭବ କରିଥିବା ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରଷି ଦେଇଥିଲେ ଋଷି ସୁନକ । ଏହି ଭିଡିଓକୁ ଇଂଲଣ୍ଡ୍ର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ‘ଅଫିସିଆଲ୍’ ୟୁଟ୍ୟୁବ୍ ଚାନେଲ୍ରେ ମଧ୍ୟ ସେୟାର୍ କରାଯାଇଛି।
ରବିବାର ଦିନ ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓ ସେୟାର୍ କରିଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘ଜେଲେନ୍ସ୍କି ସବୁଦିନ ମାଆଙ୍କ ହାତ ତିଆରି ମିଠେଇ ଚାଖି ପାରିବେ ନାହିଁ’ । ଉପରୋକ୍ତ ଘଟଣା ମନେପକାଇ ସୁନକ କହିଛନ୍ତି, ଘରେ ତିଆରି କରିଥିବା ‘ବର୍ଫି’ ନାମକ ଭାରତୀୟ ମିଷ୍ଟାନ୍ନ ମାଆ ମୋ ପାଇଁ ଆଣିଥିଲେ । ଜେଲେନସ୍କିଙ୍କ ସହ ମୋର ମିଟିଂ ବେଳେ ସେ ଭୋକ ଅନୁଭବ କରିଥିଲେ। ତେଣୁ ମୋ’ ନିକଟରେ ଥିବା ବରଫି ମୁଁ ତାଙ୍କୁ ଖାଇବାକୁ ଦେଇଥିଲି। ଏବଂ ଏହା ଏକ ଭାରତୀୟ ମିଠା ବୋଲି ବି କହିଥିଲି। ତାହା ଖୁବ୍ ସୁସ୍ୱାଦୁ ବୋଲି କହିବା ସହ ଜେଲେନସ୍କି ତାହାର ପ୍ରଶଂସା ବି କରିଥିଲେ। ଏ କଥା ଶୁଣି ମାଆ ଆନନ୍ଦରେ ଆତ୍ମହରା ହୋଇଗଲେ।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ପରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ପ୍ରଥମ ଥର ପାଇଁ ଜେଲେନ୍ସ୍କି ଇଂଲଣ୍ଡ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଇଂଲଣ୍ଡ୍ର ରାଜାଙ୍କୁ ଭେଟିବା ସହିତ ପାର୍ଲାମେଣ୍ଟ୍ରେ ବି ଉଦ୍ବୋଧନ ଦେଇଥିଲେ।