ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୩୪୫କୋଟି ଟଙ୍କା

0

କାକଟପୁର : ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୩୪୫କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଡିପିଆର ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିଭଳି ମା’ ମଙ୍ଗଳା ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଛି ଡିପିଆର୍ । ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୧୨୨ କୋଟି ଟଙ୍କା ।

ସୂଚନା ଅନୁଯାୟୀ, ମଙ୍ଗଳବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା’ ମଙ୍ଗଳା ମନ୍ଦିର ପରିଦର୍ଶନ କରିଛନ୍ତି। ଆଜି ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା’ ମଙ୍ଗଳାଙ୍କ ମନ୍ଦିରରେ ଝାମୁ ଯାତ୍ରା ପାଳନ ହୋଇଥାଏ ତେଣୁ ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା’ ମଙ୍ଗଳା ମନ୍ଦିର ପରିସରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ଉପ ମୁଖ୍ୟମନ୍ତ୍ରୀ କାକଟପୁର ମା’ ମଙ୍ଗଳାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ  ଡିପିଆର ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଛନ୍ତି।

ଉପମୁଖ୍ୟ ଶ୍ରୀମତୀ ପରିଡା ଆଜି ଗସ୍ତ ସମୟର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଲେଖିଛନ୍ତି ‘ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଆଜି କାକଟପୁର ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଅବସରରେ ମା’ଙ୍କ ଦର୍ଶନର ସୌଭାଗ୍ୟ ପ୍ରାପ୍ତ କଲି । ମା’ଙ୍କ ଆଶୀର୍ବାଦରୁ ଆମ ରାଜ୍ୟ ଓ ଦେଶର ଆହୁରି ପ୍ରଗତି ହେଉ ଏହା ହିଁ ପ୍ରାର୍ଥନା । ଏହି ଅବସରରେ ଗ୍ରୀଷ୍ମ ତାତିରୁ ଉପଶମ ପାଇଁ ମନ୍ଦିର ପ୍ରାଙ୍ଗଣରେ ପଣା ମଧ୍ୟ ପାନ କଲୁ ‘।