ରାସ୍ତା ପ୍ରଶସ୍ତ ହେଲେ ବି ଅଧିକ ଦୁର୍ଘଟଣା

0

ଡେରାଡୁନ୍ : ଉତ୍ତରାଖଣ୍ଡରେ ଗତ ରବିବାର ତୀର୍ଥଯାତ୍ରା କରିବା ପାଇଁ ଘରୁ ବାହାରିଥିଲେ । ମାତ୍ର ୨୬ଜଣ ତୀର୍ଥଯାତ୍ରୀ ଘରକୁ ଆଉ ଜୀବନ୍ତ ଫେରିନଥିଲେ । କାରଣ ସଂପୃକ୍ତ ବସ୍ ଏକ ଖାଇରେ ଓଲଟି ପଡିବା ଫଳରେ ଏହି ତୀର୍ଥଯାତ୍ରୀମାନେ ମୃତ୍ୟୁବରଣ କରିଥିଲେ । ତେବେ ଏପରି ଏକ ଦୁଃଖଦ ଘଟଣା ପରେ ଉତ୍ତରାଖଣ୍ଡ ସରକାର ଏବେ ଚିନ୍ତାରେ । କାରଣ ରାଜ୍ୟର ସବୁ ଆଡେ ଭଲ ରାସ୍ତା ହୋଇଥିବା ବେଳେ ଦୁର୍ଘଟଣା କାହିଁକି ଘଟୁଛି ବୋଲି ସାଧାରଣରେ ଚିନ୍ତା ବଢ଼ୁଛି । ଏକ ରିପୋର୍ଟ ଅନୁସାରେ, ଗତ ୫ବର୍ଷ ମଧ୍ୟରେ ୭ହଜାର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସେହିପରି ଚଳିତ ବର୍ଷ ଗତ ୫ମାସ ମଧ୍ୟରେ ୫ଶହ ଦୁର୍ଘଟଣାରେ ୩ଶହ ଲୋକଙ୍କ ଜୀବନ ହାନୀ ହୋଇଥିବା ରିପୋର୍ଟରୁ ଜଣାପଡିଛି । ତେବେ ଉତ୍ତରାଖଣ୍ଡ ଜନସଂଖ୍ୟା ତୁଳନାରେ ଦୁର୍ଘଟଣାରେ ହେଉଥିବା ମୃତ୍ୟୁସଂଖ୍ୟା ଦେଶରେ ସର୍ବାଧିକ ବୋଲି ରିପୋର୍ଟ ପ୍ରକାଶ କରୁଛି । ଫଳରେ ଏହି ଦୁର୍ଘଟଣାର ଭୟାବହତା ବେଶ ଚିନ୍ତାର ବିଷୟ ହୋଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମସ୍ତ ସଡ଼କ ବେଶ ଚଉଡା । ତଥାପି ଡ୍ରାଇଭରଙ୍କ ବେପରୁଆ ମନୋଭାବ ଏବଂ ଦୃତ ଗାଡି ଚାଳନା ଯୋଗୁଁ ଏପରି ବହୁ ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି ।

ଯହାଦ୍ୱାରା ଅକାରଣରେ ଲୋକଙ୍କ ବହୁମୂଲ୍ୟ ଜୀବନ ଚାଲିଯାଉଛି । ପୂର୍ବରୁ ଏହି ଚାରିଧାମ ଯାତ୍ରା ପାଇଁ ଜଣେ ଡ୍ରାଇଭର ୧୫ ଦିନ ସମୟ ନେଉଥିଲେ । ମାତ୍ର ଅଧିକ ରୋଜଗାରରେ ଆକର୍ଷିତ ହୋଇ ଏହି ଯାତ୍ରାକୁ ମାତ୍ର ୭ରୁ ୧୦ ଦିନ ମଧ୍ୟରେ ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ଫଳରେ ଏପରି ଦୁର୍ଘଟଣା ବାରମ୍ବାର ହେଉଛି ବୋଲି କୁହାଯାଉଛି । ତେଣୁ ଏଦିଗରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରି ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖିଲେ, ହୁଏତ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଏ ।