(ଭୁବନେଶ୍ୱର/ସରୋଜ ରାଉତ): ଗତକାଲି ଡିସିପି କହିଥିଲେ ରାଜଧାନୀରେ ଲୁଟ ଉପରେ ରୋକ ଲଗାଇବାକୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଧନତେରାସ ପାଇଁ ପୁଲିସ ପ୍ରଶାସନ ଲୁଟେରାଙ୍କ ଉପରେ କଡା ନଜର ରଖିଛି । କିନ୍ତୁ ତାଙ୍କ ଘୋଷଣା ଦିନ ହିଁ ରାଜଧାନୀରେ ପୁଣି ଏକ ଲୁଟ ହୋଇଛି । ପୋଲିସ ଲୁଟେରାଙ୍କୁ ନେଇ ଯେତିକି ସଜାଗ ହେଉଛି, ଲୁଟେରା ସେତିକି ସକ୍ରିୟ ହେଉଛନ୍ତି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । କେବେ ଦିନ ଦ୍ୱିପହରେ ତ କେବେ ବିଳମ୍ବିତ ରାତିରେ ଲୁଟ୍ର ଶିକାର ହେଉଛନ୍ତି ଜନସାଧାରଣ ।
ଗତକାଲି ଏହାର ଏକ ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱର ସ୍ଥିତ କେଶରି ହଲ ନିକଟରେ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ଜଣେ ଦମ୍ପତି ଓ ତାଙ୍କ ଝିଅ ମାର୍କେଟ ବିଲ୍ଡିଙ୍ଗରୁ ଫେରୁଥିବା ବେଳେ କେଶରି ହଲ ନିକଟରେ ଲୁଟ୍ର ଶିକାର ହୋଇଥିଲେ । ହଲର ପଛପଟ ରାସ୍ତା ଦେଇ ଯିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।