କାବୁଲ: ଆଫଗାନିସ୍ତାନରେ ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାଙ୍କ ଖାଦ୍ୟସୁରକ୍ଷା ବିପନ୍ନ ହୋଇଥିବା ହ୍ୟୁମାନ ରାଇଟ୍ସ ୱାଚ (ଏଚଆରଡବ୍ଲ୍ୟୁ) ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ ସଙ୍କଟ ବଢ଼ିଯାଇଛି। ୮୭୫,୦୦୦ ଶିଶୁ ଉତ୍କଟ କୁପୋଷଣର ଶିକାର ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ମହିଳା ଏବଂ ଶିଶୁମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି। ମାନବାଧିକାର ରିପୋର୍ଟ ଅନୁଯାୟୀ ଯଦି ଏହି ପରିସ୍ଥିତିରେ ଆଫଗାନିସ୍ତାନକୁ ସହଯୋଗ କରାନଯାଏ ତେବେ ଅନେକ ଆଫଗାନ ନାଗରିକ ଭୟାନକ କ୍ଷୁଧାର ଶିକାର ହେବେ। ଆଫଗାନିସ୍ତାନ ବିଶ୍ବରେ ଖାଦ୍ୟ ସଙ୍କଟ ସାମ୍ନା କରୁଥିବା ୭ଟି ରାଷ୍ଟ୍ର ମଧ୍ୟରେ ରହିଥିବା ବେଳେ ବର୍ତ୍ତମାନ ସବୁଠୁ ବଡ଼ ମାନବୀୟ ବିପର୍ଯ୍ୟୟ ଦେଇ ଗତି କରୁଥିବା ଦେଶ ଅଟେ ।