ଜଳେଶ୍ୱର: ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରି ନିଜ ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଅଭିଯୋଗ ଅନୁଯାୟୀ, ଆଳୁମେଦା ଗାଁର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗାଁର ଦେବେନ୍ଦ୍ର ସାହୁଙ୍କ ୮ ବର୍ଷ ପୂର୍ବେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଶାଶୂଘର ଲୋକେ ସୁଚୟତାଙ୍କୁ ନିର୍ୟାତନା ଦେଇ ଆସୁଥିଲେ । ଏପରିକି ସ୍ୱାମୀ ଦେବେନ୍ଦ୍ର ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଫଳରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଝିଅକୁ ଧରି ବାପଘରକୁ ପଳାଇ ଆସିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଦେବେନ୍ଦ୍ର କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ଶ୍ୱଶୁର ଘରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ସ୍ତ୍ରୀ ଓ ୮ ମାସର ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ।
ଏନେଇ ପରିବାର ଲୋକେ ସିଂଲା ଥାନାରେ ଅଭିଯୋଗ କରିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ଅଭିଯୁକ୍ତର କୌଣସି ସନ୍ଧାନ ମିଳିନାହିଁ । ସୁରକ୍ଷିତ ଭାବେ ଝିଅ ଏବଂ ନାତୁଣୀକୁ ଫେରାଇ ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।