ବାରାଣାସୀ: ଭାରତ ବର୍ଷରେ ମନ୍ଦିର, ମସଜିଦ୍, ଗୀର୍ଜ୍ଜା, ଗୁରୁଦ୍ୱାର ଏବେ କ’ଣ ଅସୁରକ୍ଷିତ? ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ଦେଖା ଦେଲାଣି ବିବାଦ । କିଛି ବର୍ଷ ପୂର୍ବେ ଯେଉଁଠାରେ ଦିନେ ମସଜିଦ ଦେଖିବାକୁ ମିଳୁଥିଲା, ସେହି ପରିସରରୁ ହିନ୍ଦୁମାନଙ୍କ ଦେବାଦେବୀଙ୍କ ସନ୍ଧାନ ମିଳୁଛି । ଫଳରେ ଏବେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଦ୍ୱନ୍ଦ୍ୱ । ଅନେକ ସ୍ଥାନରେ ଉଭୟ ସଂପ୍ରଦାୟର ଲୋକମାନେ ମୁହାଁମୁହିଁ ହେଉଛନ୍ତି । ଏପରିକି ଏହା ଆମର ବୋଲି ଉଭୟ ହିନ୍ଦୁ ଓ ମୁସଲମାନ କୋର୍ଟର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ ଉତ୍ତରପ୍ରଦେଶର ବାରାଣାସୀସ୍ଥିତ ଜ୍ଞାନବାପୀ ମସଜିଦ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ମସଜିଦ ପରିସର ମଧ୍ୟରୁ ଶିବଲିଙ୍ଗ ମୂର୍ତ୍ତି ମିଳିବା ପରେ ଏହା ଜ୍ଞାନବାପୀ ମନ୍ଦିର ନା ମସଜିଦ୍ ବୋଲି ଏବେ ବିବାଦ ଆରମ୍ଭ ହୋଇଛି ।
ଏଠାରେ ପୂର୍ବରୁ ମନ୍ଦିର ରହିଥିଲା ବୋଲି ହିନ୍ଦୁ ସଂପ୍ରଦାୟ ଦାବି କରି କୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାର ଶୁଣାଣି କରି ବାରାଣାସୀର ସିଭିଲ ଜଜ୍ କୋର୍ଟ ସଂପୃକ୍ତ ମସଜିଦ ପରିସର ସର୍ଭେ କରିବାକୁ ନିର୍ଦ୍ଦେଶ ଦେବା ପରେ ମୁସଲମାନ ସଂପ୍ରଦାୟ ମଧ୍ୟ ଆଉ ଏକ ମାମଲା ରୁଜୁ କରିଛନ୍ତି । ଏହି ସର୍ଭେ କାର୍ଯ୍ୟ ବନ୍ଦ କରିବା ସହ ଯଥାରୀତି ନମାଜ ପଢ଼ିବା ଲାଗି ଦାବି କରିଛନ୍ତି । କିନ୍ତୁ କୋର୍ଟଙ୍କ ଏହି ଆଦେଶ ଉପରେ ମୁସଲମାନ ସଂପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଞ୍ଜୁମନ ଇନ୍ତେଜାମିଆ କମିଟିର ସଚିବ ଏସ୍ଏମ୍ ୟାସିନ ପ୍ଲେସେସ୍ ଅଫ୍ ୱରସିପ୍ ଆକ୍ଟ ୧୯୯୧ର ଆଶ୍ରୟ ନେଇଛନ୍ତି । ଏହି ଆକ୍ଟ ଅନୁସାରେ ୧୯୪୭ ଅଗଷ୍ଟ ୧୫ରେ ଯେଉଁ ସ୍ଥାନରେ ଯେପରି ଧାର୍ମିକସ୍ଥଳ ରହିଛି, ତାହା ସେପରି ରହିବ ।
ଏହା ଅନ୍ୟତ୍ର ସ୍ଥାନାନ୍ତର ହୋଇପାରିବ ନାହିଁ । ଏପରିକି ଏନେଇ ଯଦି କୌଣସି ମାମଲା ରୁଜୁ କରାଯାଏ, ତେବେ କୋର୍ଟରେ ତାହା ଖାରଜ ହେବ ବୋଲି ୟାସିନ୍ କହିଛନ୍ତି । ତେଣୁ ମସଜିଦ ପରିସରରେ ହେଉଥିବା ସର୍ଭେ ବନ୍ଦ କରିବା ପାଇଁ ମୁସଲମାନ ସଂପ୍ରଦାୟ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି । ଫଳରେ ଏହି ମାମଲାକୁ କାଉଣ୍ଟର କରିବା ପାଇଁ ହିନ୍ଦୁ ସଂପ୍ରଦାୟ ପକ୍ଷରୁ ପିଆଇଏଲ୍ ରୁଜୁ କରାଯାଇଛି । ଏହି ଆକ୍ଟ ଦ୍ୱାରା ଅଦାଲତରେ ଆମ ପାଇଁ କବାଟ ବନ୍ଦ ହୋଇଯିବ ବୋଲି ହିନ୍ଦୁ ସେନା ପକ୍ଷରୁ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି । ଯଦି ଏହି ଆଇନ ଲାଗୁ ହୁଏ, ତେବେ ଆମେ ବାଧ୍ୟ ହୋଇ ହତିଆର ଉଠାଇବା ପାଇଁ ବାଧ୍ୟ ହେବୁ ବୋଲି ଶ୍ରୀ ଗୁପ୍ତା ଚେତାବନୀ ଦେଇଛନ୍ତି ।
ସେହିପରି କୁତବମିନାର, ମଥୁରା, ଅଯୋଧ୍ୟା ପରି ବିଭିନ୍ନ ଧାର୍ମିକସ୍ଥଳକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀ ଗୁପ୍ତା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆଗାମୀ ଦିନରେ ବିବାଦ ମୁଣ୍ଡ ଟେକିବ ବୋଲି ସେ କହିଛନ୍ତି । ମୁସଲମାନଙ୍କ ପକ୍ଷରୁ ଆଗତ ୱରସିପ୍ ଆକ୍ଟ ରବ୍ଦ କରିବା ପାଇଁ ଗତ ୨୦୨୦ରେ ବିଜେପିର ପୂର୍ବତନ ପ୍ରବକ୍ତା ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏହି ଆକ୍ଟ ଭଗବାନଙ୍କ ସହିତ ମିଶିବା ପାଇଁ ଏକ ସାମ୍ବିଧାନିକ ଅଧିକାର ହରାଇବ ବୋଲି ଶ୍ରୀ ଗୁପ୍ତା କହିଛନ୍ତି । ସମ୍ବିଧାନ ଅନୁସାରେ ଭଗବାନଙ୍କୁ ଅଧିକାର ମିଳିଛି । ଯେପରି ଅଯୋଧ୍ୟା ମାମଲାରେ ରାମଲଲାଙ୍କ ନାମରେ ମାମଲା ଲଢ଼ାଯାଇଥିଲା । ସେହିପରି ମଥୁରାରେ କୃଷ୍ଣ, କାଶୀରେ ଶିବ ବିଦ୍ୟମାନ ।
ଯଦି ଅଯୋଧ୍ୟାରେ ରାମଙ୍କୁ ତାଙ୍କର ଅଧିକାର ମିଳିଲା, ତେବେ ଜ୍ଞାନବାପୀରେ ଶିବଲିଙ୍ଗ ମିଳିବା କାରଣରୁ ଶିବଙ୍କୁ କାହିଁକି ଅଧିକାର ମିଳିବ ନାହିଁ ବୋଲି ଶ୍ରୀ ଗୁପ୍ତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିପରି ସମ୍ବିଧାନ ଅନୁସାରେ, ଭଗବାନଙ୍କୁ ତାଙ୍କର ସମ୍ପତ୍ତି ମିଳିବା ନିତ୍ୟାନ୍ତ ଆବଶ୍ୟକ । ସର୍ଭେ ଦ୍ୱାରା ସବୁ ଧାର୍ମିକସ୍ଥଳର ସତ୍ୟତା ଅନୁସନ୍ଧାନ କରିବା ପରେ ସଂପୃକ୍ତ ଦେବାଦେବୀଙ୍କୁ ସେମାନଙ୍କ ଅଧିକାର ମିଳିବା ଦରକାର । ତେଣୁ ଏହି ସର୍ଭେ କାର୍ୟ୍ୟ ବନ୍ଦ କରିବାକୁ ମୁସଲମାନ ସଂପ୍ରଦାୟ କରିଥିବା ଆବେଦନ ଅମୂଳକ ବୋଲି ଶ୍ରୀ ଗୁପ୍ତା କହିଛନ୍ତି । ତଥାପି ୱରସିପ୍ ଆକ୍ଟ ଅନୁସାରେ ଏହି ପୂଜାସ୍ଥଳ କାହାର ବୋଲି ପ୍ରମାଣିତ କରିବାକୁ ପଡ଼ିବ ବୋଲି ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି । ହେଲେ ଭାରତ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ ପରି ବହୁ ଧର୍ମ ରହିଛି ।
ୱରସିପ୍ ଆକ୍ଟ-୧୯୯୧ ଅନୁସାରେ ବିଭିନ୍ନ ଧର୍ମ ପ୍ରତି ସବୁ ନିୟମ ସମାନ ନୁହେଁ । ତେଣୁ ଜ୍ଞାନବାପୀ ମସଜିଦକୁ ନେଉ ଉଠିଥିବା ବିବାଦରେ ଏହି ନିୟମ ଲାଗୁ କରାଗଲେ ବି ଧାର୍ମିକସ୍ଥଳ କାହାର ଏହା ପ୍ରମାଣିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ୩ଟି ଆଧାରରେ ମସଜିଦ ନିର୍ମାଣ କରାଯାଏ ବୋଲି ଇସଲାମିକ ଆକ୍ଟ ପ୍ରକାଶ କରେ । କ୍ଷେତ ନିକଟବର୍ତ୍ତୀ ପବିତ୍ରସ୍ଥାନରେ ମସଜିଦ୍ ନିର୍ମାଣ ହେବା ଆବଶ୍ୟକ । କ୍ରୟ ହୋଇଥିବା କୌଣସି ଜମି ବା ଦାନ ସୂତ୍ରରେ ମିଳିଥିବା ଜମିରେ ମସଜିଦ ନିର୍ମାଣ କରିବା ଆବଶ୍ୟକ ବୋଲି ଇସ୍ଲାମିକ ଆକ୍ଟ ପ୍ରକାଶ କରେ । ତେଣୁ କେଉଁ ଆଧାରରେ ଜ୍ଞାନବାପୀ ମସଜିଦ ନିର୍ମାଣ ହୋଇଛି, ତାହା ମୁସଲମାନ ସଂପ୍ରଦାୟ ପ୍ରମାଣିତ କରିବା ଆବଶ୍ୟକ ବୋଲି ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟ ପ୍ରଶ୍ନ କରିଛନ୍ତି ।
ଏହାର ଉତ୍ତରରେ ଇନ୍ତେଜାମିଆ କମିଟି ପକ୍ଷରୁ ଏସଏମ୍ ୟାସିନ କହିଛନ୍ତି ଯେ, ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । କୋର୍ଟ ଯାହା ନିଷ୍ପତ୍ତି ନେବେ, ତାହା ସ୍ୱୀକାରଯୋଗ୍ୟ । କିଛି ବ୍ୟକ୍ତିବିଶେଷଙ୍କ ଏଜେଣ୍ଡାରେ ନୁହେଁ, ମାତ୍ର ଆଇନ୍ ଅନୁସାରେ ଦେଶ ଚାଲିବ ବୋଲି ୟାସିନ୍ କହିଛନ୍ତି । ତେଣୁ ଅଦାଲତ ଯେଉଁ ଆଧାର ଉପରେ ନିଷ୍ପତ୍ତି ଗ୍ରହଣ କରିବେ, ତାହା ଆମ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ ବୋଲି ୟାସିନ୍ କହିଛନ୍ତି । ତେବେ କହିବାକୁ ଗଲେ ନ୍ୟାୟାଳୟର ନିଷ୍ପତ୍ତି କାହା ସପକ୍ଷରେ ଯିବ । ଜ୍ଞାନବାପୀ ମସଜିଦ୍ରେ ଶଙ୍ଖ ବାଜିବ ନା ନମାଜର ସ୍ୱର ଶୁଣାଯିବ । ଏହା ଆଗାମୀ ଦିନରେ ଜଣାପଡିବ ।