ଧାନର ଏମଏସପି ଉପରେ ରାଜ୍ୟ ସରକାର ଚାଷୀଙ୍କୁ ୮ଶହ ଟଙ୍କା ଅତିରିକ୍ତ ସହାୟତା ଦେବାପାଇଁ ବଜେଟରେ ବ୍ୟବସ୍ଥା କରନ୍ତୁ : କଂଗ୍ରେସ
ଭୁବନେଶ୍ୱର : କେନ୍ଦ୍ର ସରକାର ନିକଟରେ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୨୩ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟ ଦିଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟ।।ଲ ପିଚ୍ଛା ୩୧ଶହ ଟଙ୍କା ଦେବାକୁ ତାଙ୍କର ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନେବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶାର ମୁଖ୍ୟ ଫସଲ ଧାନ ।
୨୦୧୭ ମସିହାରେ ଏକ କ୍ୱିଂଟାଲ ଧାନ ଉତ୍ପାଦନରେ ୨୩୪୪ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଚଳିତ ୨୦୨୪ରେ ବର୍ତମାନ ଧାନ ଉତ୍ପାଦନରେ ଚାଷୀଙ୍କୁ ପ୍ରାୟ କ୍ୱିଂଟାଲ ପିଚ୍ଛା ୨୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯିବାକୁ ନିଷ୍ପତି କରାଯାଇଥିଲା । ପ୍ରଚଳିତ ଏମଏସପି ୨୩ଶହ ଟଙ୍କା ରହିଥିବା ବେଳେ ଆଉ ୮ଶହ ଟଙ୍କା ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ପ୍ରାୟ ଏଥିପାଇଁ ୭ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଅଛି । ଯାହାକି ସରକାରଙ୍କର ବଜେଟରେ ସ୍ଥାନିତ ହେବା ଏକାନ୍ତ ଜରୁରୀ । ତାହା ହେଲେ ଚାଷୀଙ୍କଠାରୁ ସହଜରେ ୩୧ଶହ ଟଙ୍କାରେ ଧାନ କ୍ରୟ କରାଯାଇ ପାରିବ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ।
ରାଜ୍ୟର ବିଭିନ୍ନ ଅଂଚଳରେ ଏକର ପିଚ୍ଛା ୩୦ ରୁ ୩୫ କ୍ୱିଂଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି । ଏହି ମର୍ମରେ ଚାଷୀଙ୍କର ପ୍ରାୟ ୧୦୦ ମେଟ୍ରିକ୍ ଟନ୍ରୁ ଉଦ୍ଧ୍ୱର୍ ଧାନ ବଳକା ରହୁଛି । ରାଜ୍ୟ ସରକାର ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପରେ ଆଉ ବଳକା ଧାନ ଚାଷୀ କରିବେ କଣ? ଏଥିପାଇଁ ଧାନର ଅଭାବୀ ବିକ୍ରି ସୃଷ୍ଟି ହେଉଛି । ସରକାରଙ୍କ ଧାନ କ୍ରୟ ନୀତିରେ ଜଳସେଚିତ ଅଂଚଳରୁ ଏକର ପିଚ୍ଛା ୧୯ କ୍ୱିଂଟାଲ ଏବଂ ଅଣଜଳସେଚିତ ଅଞ୍ଚଳରୁ ୧୩ କ୍ୱିଂଟାଲ ଧାନ କ୍ରୟ କରାଯିବା ଦ୍ୱାରା ଚାଷୀଙ୍କର ବହୁ ଧାନ ବଳକା ରହୁଛି । ଏପରି ତାରତମ୍ୟକୁ ତୁରନ୍ତ ଉଚ୍ଛେଦ କରାଯିବା ଉଚିତ୍ । ଏହି ଦିଗରେ ଚାଷୀଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ଧାନ କ୍ର୍ରୟ ନୀତିର ସରଳୀକରଣ ଓ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ ନିର୍ଦ୍ଧାରିତ ମୂଲ୍ୟରେ କ୍ରୟ କରିବା ଓ କେନ୍ଦ୍ର ସରକାର ଏମଏସପିର ଆଇନଗତ ଗ୍ୟାରେଂଟି ବ୍ୟବସ୍ଥା କରିବାକୁ କଂଗ୍ରେସ ଦଳ ତରଫରୁ ଶ୍ରୀ ପଟ୍ଟନାୟକ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।