ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ଅନ୍ତରୀଣ ଜାମିନ ଅବଧି ଆଉ ୭ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମଙ୍ଗଳବାର ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ କୋର୍ଟ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଆଉ ସପ୍ତାହେ ପର୍ୟ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଜୁନ ୨ରେ ପୁଣି ତିହାର ଜେଲ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ମୁଖମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନୁ ସିଙ୍ଘବୀ ଜଷ୍ଟିସ ଜେମେ ମାହେଶ୍ୱରୀ ଏବଂ କେଭି ବିଶ୍ୱନାଥନଙ୍କ ବେଞ୍ଚକୁ ତତକାଳ ଶୁଣାଣି କରିବା ପାଇଁ ଅନୁରୋଧକରିଥିଲେ ।
କେଜ୍ରିୱାଲଙ୍କ ଓକିଲ କହିଥିଲେ , ମେଡିକାଲ ଟେଷ୍ଟ ପାଇଁ ଅନ୍ତରୀଣ ଜାମିନ ଅବଧି ୭ ଦିନ ବଢାଇବା ପାଇଁ ଜରୁରୀ । ଏହାକୁ ନେଇ ଜଷ୍ଟିସ ମାହେଶ୍ୱରୀ ପଚାରିଥିଲେ କି ଗତ କିଛି ସପ୍ତାହରେ ଏ ବିଷୟରେ କାହିଁକି ପ୍ରଶ୍ନ କରାଯାଇନଥିଲା । ଜଷ୍ଟିସ ଦୀପାଙ୍କର ଦତ୍ତା ସେତେବେଳେ ବେଞ୍ଚରେ ସାମିଲ ଥିଲେ । ଯିଏକି ନିର୍ବାଚନ ପ୍ରଚାର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଦେଇଥିଲେ ।
କେଜ୍ରିୱାଲ ନିଜ ଯାଚିକାରେ କହିଥିଲେ , ଗିରଫ ହେବା ପରେ ତାଙ୍କ ଓଜନ ୭ କିଲୋ କମିଛି । କେବଳ ଏତିକି ନୁହେଁ କିଟୋନ ଲେବଲ ମଧ୍ୟ ବଢିଛି । ଏହି ଏକ୍ଷଣ କୌଣସି ଗୁରୁତର ରୋଗର ହୋଇପାରେ । ତେଣୁ ଡାକ୍ତର ଯାଞ୍ଚ ପାଇଁ ପିଇଟି –ସିଟି ସ୍କାନ ହେବା ସହିତ ଅନେକ ଟେଷ୍ଟ କରିବା ଜରୁରୀ । ତେଣୁ ଏ ସବୁ ଡାକ୍ତରୀ ପରୀକ୍ଷା କରାଇବାକୁ ପଡୁଥିବାରୁ ସେ ଜାମିନ ଅବଧି ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏଥିପାଇଁ ସୁପ୍ରିମ କୋର୍ଟରେ ଏକ ଆବେଦନ କରିଛନ୍ତି ।