ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ

0

ନବରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରକୁ ନିସ୍ତୁକ ମାଡ, ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରୁ।ସେଠାରେ କାର୍ୟ୍ୟରତ ସହକାରୀ ଶିକ୍ଷକ ଉମେଶ ସୁନାନୀ ଛାତ୍ରଙ୍କୁ ବୁଝେଇବା ବଦଳରେ ଏଭଳି ଶାସ୍ତି ଦେଲେ ଯେ, ଜଣେ ସପ୍ତମ ଶ୍ରେଣୀ ଛାତ୍ର ଶିକ୍ଷକଙ୍କ ମାଡ଼ଖାଇ ହାତ ଭାଙ୍ଗିବା ଭଳି ଘଟଣା ଶେଷରେ ଯାଇ ଥାନାରେ ପହଁଚିଛି । ଘଟଣାକୁ ନେଇ ଏବେ ଅଭିଭାବକ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହାକୁ ବିଭାଗୀୟ ଉଚ୍ଚସ୍ଥରୀୟ ତଦନ୍ତ ସହ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି । ପ୍ରକାଶ ଥାଉକି ଗତ ୧୧ ତାରିଖ ରାତି ୯ ଟା ସମୟ ଧୋଡ଼ିପାଣି କଲ୍ୟାଣ ବିଭାଗ ହଷ୍ଟେଲରେ ଆଦିତ୍ୟ ବାଘ ନାମକ ଜଣେ ସପ୍ତମ ଶ୍ରେଣୀ ର ଛାତ୍ର ଆଉ ଜଣେ ସହପାଠୀ ସହ ଝଗଡା ହୋଇଥିଲା । ସହକାରୀ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ରକୁ ବୁଝା ସୁଝା କରିବା ବଦଳରେ ପ୍ଲାଷ୍ଟିକ ପାଇପରେ ମାଡ଼ ଦେବାରୁ ଛାତ୍ରର ବାମ ହାତ ଭାଙ୍ଗି ଯାଇଥିଲା । ଆହତ ଛାତ୍ରର ବାପା ତ୍ରିଲୋଚନ ବାଘ ଶିକ୍ଷକ ଉମେଶ ସୁନାନୀଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଗତ ୧୪ ତାରିଖ ଦିନ ଲିଖିତ ଅଭିଯୋଗ ଦେଇଥିଲେ । ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ଉଭୟ ପାର୍ଟି କୁ ଥାନାକୁ ଡ଼କାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା କରିଦେଇଥିଲେ ।କିନ୍ତୁ ଆହତ ଛାତ୍ରକୁ ପ୍ରବଳ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଉମରକୋଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ପାଖକୁ ନେବାରୁ ଛାତ୍ରର ବାମ ହାତ ଭାଙ୍ଗି ଥିବା ଜଣାପଡ଼ିଥିଲା । ବର୍ତମାନଛାତ୍ର ଜଣଙ୍କର ହାତ ବ୍ୟାଣ୍ଡେଜ କରାଯାଇଛି । ଶିକ୍ଷକଙ୍କ ଏଭଳି ବ୍ୟବହାରକୁ ନେଇ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ତାସହ ଏଭଳି ଶିକ୍ଷକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।