ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍ । ୫ ଟିକିଆ ଟେଷ୍ଟ୍ ମ୍ୟାଚ୍ ସିରିଜ୍ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ ୫ ୱିକେଟ୍ରେ ପରାଜିତ କରିଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ଭାରତ ୩୩୬ ରନ୍ରେ ଜିତି ନେଇଛି । ଏହି ମ୍ୟାଚ୍ କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ୍ ଷ୍ଟାଡିୟମ୍ରେ ଖେଲାଯିବ । ଏହି ମ୍ୟାଚ୍ରେ ଯିଏ ବିଜୟ ହାସଲ କରିବ ସେହି ଟିମ୍ ସିରିଜ୍ରେ ଲିଡ୍ ହାସଲ କରିବ । ଏଥିନେଇ ଉଭୟ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଲର୍ଡସରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ଇଂଲଣ୍ଡ ଟିମ୍ । ତୃତୀୟ ଟେଷ୍ଟ ପାଇଁ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଇଂଲଣ୍ଡ ଟିମରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଛି । ଆଘାତ ଯୋଗୁଁ ଗତ ୪ ବର୍ଷ ଧରି ଦଳ ବାହାରେ ଥିଲେ ଜୋଫ୍ରା ଆର୍ଚର ।
ସେହିପରି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବର୍ମିଂହାମ ଟେଷ୍ଟରୁ ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରାଙ୍କୁ ଭାରତ ବିଶ୍ରାମ ଦେଇଥିଲା। ହେଲେ ଲର୍ଡସ ଟେଷ୍ଟରେ ସେ ଫେରିବେ ବୋଲି ଅଧିନାୟକ ଗିଲ୍ ସ୍ପଷ୍ଟ ସୂଚନା ଦେଇଛନ୍ତି । ତାଙ୍କ ଉପସ୍ଥିତି ପାଇଁ ଭାରତର ବୋଲିଂ ଶକ୍ତି ନିଶ୍ଚିତ ଭାବେ ବଢ଼ିବ । ବୁମ୍ରା ଫେରିଲେ କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣା ଦଳରୁ ବାଦ୍ ପଡ଼ିବେ। ତେବେ ଭାରତ ଏପର୍ଯ୍ୟନ୍ତ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇ ନାହିଁ । ଲର୍ଡସରେ ବାମହାତୀ ସ୍ପିନରଙ୍କ ରେକର୍ଡ ସେତେଟା ଖରାପ ନଥିବାରୁ ଶୃଙ୍ଖଳାରେ ପ୍ରଥମ ଥର ତାଙ୍କୁ ସୁଯୋଗ ଦେବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ । ଯଦି ସେମିତି ହୁଏ ୱାସିଂଟନ୍ ସୁନ୍ଦର ବାଦ୍ ପଡ଼ି ପାରନ୍ତି । କିମ୍ବା ବ୍ୟାଟିଂ ଗଭୀରତାକୁ ଉତ୍ସର୍ଗ କରି ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତ ଖେଳାଇପାରେ। ନୀତୀଶ କୁମାର ରେଡ୍ଡୀ ଓ କରୁଣ ନାୟର ଶୃଙ୍ଖଳାରେ ସେମିତି କିଛି ଭଲ ପ୍ରଦର୍ଶନ କରି ନାହାନ୍ତି । ଦଳ ତାଙ୍କୁ ଆଉ ଏକ ସୁଯୋଗ ଦେବ ନା ନାହିଁ ତାହା ଅସ୍ପଷ୍ଟ ।