କେନ୍ଦୁଝର: ବାହାଘର ପାଇଁ ଚାଲିଥିଲା ରୋଷଣୀ, ନାଚୁଥିଲେ ବରଯାତ୍ରୀ । ଆଉ ଠିକ ସେତିକି ବେଳେ ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ ବାହା ନହୋଇ ଫେରିଗଲା ବର। ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇ ଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଓଭର ବ୍ରିଜ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା କହିଛନ୍ତି । ଏହାସହ ସେଠାରେ ତୁରନ୍ତ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେନାବନୀ ଦେଇଛନ୍ତି ।