ଗଞ୍ଜାମ: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆମ୍ବଗଡ଼ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ କରିଛି । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ନେଇ ଧରପଗଡ଼ ପାଇଁ ଅଣ୍ଟା ବାନ୍ଧିଛି ପ୍ରଶାସନ । ସେହିଭଳି ଆଜି ଭୋର ସକାଳ ସମୟରେ ଗଜପତି ଜିଲ୍ଲାଠାରୁ ବ୍ରହ୍ମପୁର ଦେଇ ଉତ୍ତରପ୍ରଦେଶ ଅଂଚଳକୁ ଲକ୍ଷାଧିକ ଟଙ୍କାର ଗଂଜେଇ ଚାଲାଣ ହେଉଥିବା ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।
ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଓ ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ ସିଂଙ୍କ ନିର୍ଦେଶ କ୍ରମେ ଏବଂ ବ୍ରହ୍ମପୁର ଡେପୁଟି ସୁପରୀଟେଣ୍ଡଣ୍ଟ କୁବେରୀ ସେଠୀଙ୍କ ତତ୍ୱାବଧାନରେ ବ୍ରହ୍ମପୁର ବଡବଜାର ଥାନା ଅଧିନ ଆମ୍ବଗଡ଼ ଠାରେ ଯାଞ୍ଚ କରିବା ସମୟରେ ସନ୍ଦେହ ଜନକ ଭାବେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ୨୧୭ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ୫୫ ହଜାର ହେବ ବୋଲି ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ସଲମତ ସାହା (୩୫)ଙ୍କୁ ଗିରଫ କରିବା ସହ ଏହି ଗଞ୍ଜେଇ ଚୋରା ଚାଲାଣ ପଛରେ କିଏ କିଏ ସମ୍ପୃକ୍ତ ଅଛି ସେ ନେଇ ଘଟଣାର ତଦନ୍ତ ଜାରି ରହିଥିବା ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରା ସୂଚନା ପ୍ରଦାନ କରିଛନ୍ତି ।