ଚକା ଫାଟିଯିବାରୁ ଓଲଟିଲା ଭ୍ୟାନ୍; ୨୭ ଶ୍ରମିକ ଆହତ

0

ଓଲଟିଲା ଭ୍ୟାନ୍,୨୭ ଶ୍ରମିକ ଆହତ। ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟି ଯିବାରୁ ଗଛରେ ପିଟି ହେଲା ଟାଟା ଏସି। ଦୁର୍ଘଟଣାରେ ୨୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଜୁଡ଼ାମ୍ବ ଘାଟିରେ ।
ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନ ଜଡିପଦା ଗ୍ରାମରୁ ବିଲରେ କାମ କରିବାକୁ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟାଟା ଏସି ଗାଡି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଆସୁଥିଲା। ଏହି ସମୟରେ ଜୁଡାମ୍ବ ଘାଟି ନିକଟରେ ଗାଡ଼ିର ଏକ ଚକା ଫାଟି ଯାଇଥିଲା। ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଗଛରେ ପିଟି ହୋଇଯାଇଥିଲା। ତେବେ ବର୍ତ୍ତମାନ ଆହତ ଶ୍ରମିକ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।