ଦନ୍ତା ଆତଙ୍କରେ ଗ୍ରାମବାସୀ

ଦିନ ଦି ପହରେ ଗାଁ ଭିତରେ ବୁଲୁଛି ଦନ୍ତା, ଲୋକଙ୍କ ତାଟି କବାଟ ପଡି ଯାଇଛି। ଦିନେ କି ଦୁଇଦିନ ନୁହଁ, ନିୟମିତ ଏପରି ଘଟୁଛି।

0

କେନ୍ଦୁଝର:ଦିନ ଦି ପହରେ ବାଘୁଆ ଗ୍ରାମରେ ପସିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ । ଦିନ ଦି ପହରେ ଗାଁ ଭିତରେ ବୁଲୁଛି ଦନ୍ତା, ଲୋକଙ୍କ ତାଟି କବାଟ ପଡି ଯାଇଛି। ଦିନେ କି ଦୁଇଦିନ ନୁହଁ, ନିୟମିତ ଏପରି ଘଟୁଛି। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଯାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ, ବାଲିବରେଇ ପଞ୍ଚାୟତ ରେ। ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ଏବେ ସୋସ କାନପୁର ଗ୍ରାମ ନିକଟରେ ବୁଲୁଛି। ଆମ୍ବ ପଣସ ଖାଇବାକୁ ଦୁଇଟି ହାତୀ ପ୍ରତିବର୍ଷ ଏହି ସମୟରେ ଜଙ୍ଗଲ ରୁ ପଳାଇ ଆସି ଏହି ଅଞ୍ଚଳରେ ଅନେକ ଧନ ଜୀବନ ହାନି ଘଟାଇଥାନ୍ତି। ଗତ କିଛିଦିନ ହେଲା ଗୋଟିଏ ଦନ୍ତାହାତୀ ନିକଟସ୍ଥ ସୋସୋ, କାନପୁର, ବାଘୁଆ, ନୂଆଗାଁ, ଦନେଇପୁର ଆଦି ଗ୍ରାମରେ ପସି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଦିନବେଳା ବିଭିନ୍ନ ଆମ୍ବ ତୋଟା, ପଣସ ଗଛ ଘେରାରେ ରହୁଥିବା ବେଳେ କାଲି ଦିନ ଦୁଇଟା ବେଳେ ହାତୀଟି ବାଘୁଆ ଗାଁ ଭିତରେ ପସି ନିର୍ବିଘ୍ନ ରେ ବୁଲୁଥିଲା । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ପହଂଚି ତୁରନ୍ତ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ଗାଁ ନିକଟରୁ ବହାରକୁ ଯାଇ ନଥିଲା। ଏହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।