ଅଟକିଲା ଯୁଦ୍ଧ, ମୁକ୍ତ ହେଉଛନ୍ତି ପଣବନ୍ଦୀ!

0

ବ୍ୟୁରୋ: ସାମୟିକ ଯୁଦ୍ଧ ବିରତି । ଶାନ୍ତି ପ୍ରକ୍ରିୟା ପାଇଁ ବାଟ ଖୋଲିବ କି ? ଜାତିସଂଘ ଏହା ହିଁ ଆଶା କରିଛି । ଭୟଙ୍କର ଏହି ଯୁଦ୍ଧରେ ୧୩ ହଜାର ୩ଶହ ଲୋକ ପ୍ରାଣ ହରାଇ ସାରିଲେଣି । ୨୩ ଲକ୍ଷ ଲୋକ ନିଜ ଭିଟା ମାଟିରୁ ବିସ୍ଥାପିତ । ଯେଉଁ କାରଣ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉଦ୍ବେଗ ପ୍ରକାଶ କରିଥିଲେ । ଗାଜାରୁ ହମାସ ମୁକ୍ତ କରିଥିବା ୨୫ ପଣବନ୍ଦୀଙ୍କ ଭିତରେ ଥିଲେ, ଇସ୍ରାଏଲର ୧୩ ଜଣ ଓ ଥାଇଲାଣ୍ଡର ୧୨ ଜଣ ନାଗରୀକ । ପଣବନ୍ଦୀଙ୍କୁ ମୁକ୍ତ କରିବା କାମରେ ରେଡ୍କ୍ରସର ହିଁ ଥିଲା, ପ୍ରମୁଖ ଭୂମିକା । ପଣବନ୍ଦୀ ମାନଙ୍କୁ ହମାସ ପ୍ରଥମେ ରେଡ୍କ୍ରସକୁ ହସ୍ତାନ୍ତର କରିଥିଲା । ଏହା ପରେ ସେମାନଙ୍କୁ ସ୍ୱତଂତ୍ର ଭ୍ୟାନରେ ଗେଟ୍ ପାଖକୁ ଆଣା ଯାଇଥିଲା । କମାଣ୍ଡୋ ଓ ଫୋର୍ସଙ୍କ ସିକ୍ୟୁରିଟିରେ ତୀଖ୍ଣ ନଜର ରଖା ଯାଇଥିଲା,ସୁରକ୍ଷା ବ୍ୟବସ୍ଥା ଉପରେ । ଇସ୍ରାଏଲ୍ ଜେଲ୍ରୁ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବା ପାଇଁ ହମାସ, ଗାଜାରୁ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା । ଚୁକ୍ତି ଅନୁଯାଇ ମାତ୍ର ୪ ଦିନର ଅସ୍ତ୍ରବିରତି, ଶାନ୍ତି ପ୍ରକ୍ରିୟାକୁ ଉତ୍ସାହିତ କରୁଛି । ଯେଉଁ ଚୁକ୍ତି ସୂତ୍ରକୁ ଇସ୍ରାଏଲ୍ ଓ ହମାସ ମଧ୍ୟରେ ପହଂଚାଇବା ପାଇଁ ବଡ ଭୂମିକା ନିଭାଇଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ଏହା ପରେ କ’ଣ ହେବ ? ଆଉ ଥରେ ବିଶ୍ୱ ଦେଖିବ, ଇସ୍ରାଏଲ ଓ ହମାସ ଯୁଦ୍ଧର ବିଭୀଷିକା ? ଅଳ୍ପ କିଛି ଦିନର ଅସ୍ତ୍ରବିରତି, ଗାଜାରେ ମାନବୀୟ ଶୃଙ୍ଖଳାକୁ ସୁଦୃଢ କରିଥିଲା । ଯୁଦ୍ଧ ପୀଡିତଙ୍କୁ ସାହାର୍ୟ୍ୟ କରିବା ପାଇଁ ଖାଦ୍ୟ ଓ ଔଷଧ ପହଂଚାଇ ହେଉଥିଲା । ଇଜିପ୍ଟର ରାଫା ସୀମା ଦେଇ ଶତାଧିକ ଟ୍ରକ୍ରେ ରିଲିଫ୍ ସାମଗ୍ରୀ ଗାଜାକୁ ଯାଇ ପାରିଥିଲା । ଆଶ୍ୱସ୍ତ ହୋଇଥିଲେ ଧ୍ୱଂସର ସ୍ତୁପ ଭିତରେ ବଂଚୁଥିବା ଗାଜାର ଲୋକ । ଯେଉଁଠି ଯୁଦ୍ଧ ଆରମ୍ଭ ହୋଇଛି, ସେଠି ଯୁଦ୍ଧର ଶେଷ ବି ଅଛି । କିନ୍ତୁ ଏହା ଶାନ୍ତି ପ୍ରକ୍ରିୟାରେ ଶେଷ ହେଉଛି କି ଧ୍ୱଂସର ରାସ୍ତାକୁ ଆପଣାଉଛି, ତାହା ଏକ ବଡ ପ୍ରଶ୍ନ । ଯାହା ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ଘାରୁଛି ।