ପୁରୀ-: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହୋଇଛି ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଯଜ୍ଞମଣ୍ଡପରୁ ବିଜେ ହୋଇ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ । ତେଣୁ ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହୋଇଥିଲା । ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ । ଏଣୁ ଆଜି ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି ।
ତେବେ ଜଳାଭିଷେକ ପାଇଁ ସପ୍ତମୀ ରାତିରୁ ୧୦୮ ଜଳକୁମ୍ଭ ଅଧିବାସ ହୋଇ ରହିଥିଲା । ଅଷ୍ଟମୀ ତିଥିରେ ସକାଳ ଧୂପ ଓ ଆଲଟ ଲାଗି ସରିବା ପରେ ପୋଖରିଆ ରେ ପାଣି ପଡ଼ିବା ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନସିଂହାସନ ନିକଟରେ ବିଜେ କରିଥିଲେ । ଏହାପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହୋଇଥିଲା ।
ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ । କୁହାଯାଏ ଏହି ଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ବାମଦେବ ସଂହିତାରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।