ଜୀବନ ସାଥୀଙ୍କ ମୃତଦେହକୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳଛଳ ଆଖିରେ କହିଲେ ପତ୍ନୀ

0

ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରୁ ଦେଖିବାକୁ ମିଳିଛି କରୁଣ ଚିତ୍ର । ଜୀବନ ସାଥୀଙ୍କ ମୃତଦେହକୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳଛଳ ଆଖିରେ କହିଲେ ପତ୍ନୀ। କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଗତମୁଣ୍ଡା ଗାଁର ଅଭିରାମ ଧାରୁଆ ଗତ ୫ ବର୍ଷ ହେଲା ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିଛି ଦିନ ତଳେ ଅଭିରାମ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କର ଦୁଇ ସାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗତ ୫ ତାରିଖରେ ଅଭିରାମଙ୍କୁ ତାଙ୍କ ଘର ଗତମୁଣ୍ଡାକୁ ନେଇଥିଲେ ତାଙ୍କର ଦୁଇ ସାଙ୍ଗ। ହେଲେ ଅଧା ରାସ୍ତାରେ ଅଭିରାମଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ସେମାନେ ଅଭିରାମଙ୍କ ପତ୍ନୀ ବାଲମତୀ ଧାରୁଆଙ୍କୁ ଫୋନ୍ରେ ଜଣାଇଥିଲେ। ହେଲେ ବାଲମତୀ ଧାରୁଆ ଅସହାୟତା ପ୍ରକାଶ କରିଥିଲେ। ପାଖରେ ଟଙ୍କା ନଥିବାରୁ ସ୍ୱାମୀଙ୍କ ମୃତଦେହ ଗାଁକୁ ନେଇପାରିବେ ନାହିଁ ବୋଲି କହିଥିଲେ ବାଲମତୀ । ତେଣୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳ ଛଳ ଆଖିରେ କହିଥିଲେ ବାଲମତୀ। ପରେ ଅଭିରାମଙ୍କ ମୃତଦେହକୁ ନବରଙ୍ଗପୁର ଜିଲ୍ଲା ମଇଦଲପୁର ଥାନା ଗୁଜମାପଦର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଛି।
କିଛି ଦିନ ତଳେ ଗୁଜମାପଦର ଜଙ୍ଗଲକୁ ସ୍ଥାନୀୟ ଲୋକ ଛତୁ ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ଦର ପୋତା ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ମୃତଦେହ ପାଖରେ ଗୋଟିଏ ବ୍ୟାଗ ଉଦ୍ଧାର କହିଥିଲା ପୁଲିସ୍। ସେଥିରେ ଅଭିରାମଙ୍କ ଆଧାରକାର୍ଡ଼ ଓ ପ୍ରେସ୍କ୍ରିପ୍ସନ୍ ଥିଲା। ଅଭିରାମଙ୍କ ପରିଚୟ ମିଳିବା ପରେ ପୁଲିସ୍ ତତ୍ପର ହୋଇଥିଲା। ଅଭିରାମଙ୍କ ପତ୍ନୀ ବାଲମତୀଙ୍କ ସହିତ ଯୋଗାଯୋଗ କରିଥିଲା। ସେହି ସମୟରେ ସେ ପୂରା ଘଟଣା କହିଥିଲେ। ଖାଇବା ପାଇଁ ଦୁଇ ଓଳିରେ ଦୁଇ ମୁଠା ପାଉନାହିଁ। ଏପରି ସ୍ଥିତିରେ ସ୍ୱାମୀଙ୍କ ମୃତଦେହ କେମିତି ଆଣିବା ପାଇଁ ଯିବି ବୋଲି କହିଥିଲେ ବାଲମତୀ। ବାଲମତୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନଥିବାରୁ ମହିଦଲପୁର ଥାନା ଅଧିକାରୀ ନଟବର ନନ୍ଦ ୨୦୦୦ ଟଙ୍କା ଦେଇ ଗୋଟିଏ ଗାଡ଼ି ପଠାଇଥିଲେ। ସେହି ଗାଡ଼ିରେ ବାଲମତୀ ନିଜ ସ୍ୱାମୀଙ୍କ ମୃତଦେହ ନେଇଥିଲେ।