ବ୍ୟୁରୋ: ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ଗୃହୀତ ହେଲା ମହିଳା ସଂରକ୍ଷଣ ବିଲ୍ । ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଛି ଏହି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ । ବିଲ୍କୁ ରାଜ୍ୟ ସଭାରେ ସମସ୍ତ ସାଂସଦଙ୍କ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏବଂ ଏହାକୁ ଐତିହାସିକ ସଫଳତା କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ । ବିଲ୍ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିବାବେଳେ ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବାଲା । ତେବେ ଏହି ବିଲ୍ ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା। ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିବା ବେଳେ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍କୁ ରାଜ୍ୟସଭାରେ ଆଗତ କରିଥିଲେ। ତେବେ ଏହି ବିଲ୍ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଛି ।
ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇପାରୁନଥିଲା । ଏନଡିଏ ସରକାର ଏହି ବିଲ୍କୁ ସ୍ବତନ୍ତ୍ର ଅଧିବେଶନ ଜରିଆରେ ଗୃହୀତ କରାଇ ମହିଳାମାନଙ୍କୁ ରାଜନୀତିରେ ଐତିହାସିକ ଅଧିକାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ଫ୍ରଣ୍ଟ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୧୨, ୧୯୯୬ ରେ ୮୧ତମ ସଂଶୋଧନ ବିଲ୍ ଭାବରେ ଲୋକସଭାରେ ଏହି ବିଧେୟକ ଆଗତ କରାଯାଇଥିଲା। କିନ୍ତୁ ଏହି ବିଲ୍ ଗୃହରେ ପାରିତ ହେବାରେ ବିଫଳ ହୋଇଥିଲା ଏବଂ ଲୋକସଭା ଭାଙ୍ଗିଯିବା ପରେ ଏହି ବିଲ୍ ଅଚଳ ହୋଇଯାଇଥିଲା। ଏହାର ଦୁଇ ବର୍ଷ ପରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ୧୯୯୮ରେ ଦ୍ୱାଦଶ ଲୋକସଭାରେ ଏହି ବିଲ୍କୁ ଆଗକୁ ବଢ଼ାଇଥିଲେ। ତେବେ ସେତେବେଳେ ମଧ୍ୟ ବିଲ୍ ସମର୍ଥନ ପାଇବାରେ ବିଫଳ ହୋଇଥିଲା। ତେବେ ଗତକାଲି ଲୋକସଭା ଓ ଆଜି ରାଜ୍ୟସଭାରେ ବିରୋଧୀ ଦଳମାନେ ବିଲରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ଏବଂ ଏ ବାବଦ ଆଇନର ତୁରନ୍ତ ଲାଗୁ ପାଇଁ ଦାବି କରି ସରକାରକୁ ଘେରିଥିଲେ। ତେବେ କୌଣସି ପ୍ରକାରରେ ବିଲକୁ ପୁଣି ଥରେ ବିଳମ୍ବ ହେବାକୁ ଦିଆଯିବନାହିଁ ବୋଲି ସରକାର ଘୋଷଣା କରିଛନ୍ତି।