ବରଗଡରେ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ

0

ବରଗଡ଼ : ଆଜିଠୁ ଚାଲିବ କଂସର ରାଜୁତି । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର ।ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସେଥିପାଇଁ ସହରର ବିଭିନ୍ନ କାନ୍ଥରେ କରାଯାଇଛି ଆକର୍ଷଣୀୟ ଚିତ୍ର । ଆଲୋକମାଳାରେ ଝଲସୁଛି ସହରର ଚତୁର୍ଦ୍ଦିଗ । ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ହୀରକ ଜୟନ୍ତୀ ଭାବେ ପାଳନ କରାଯାଉଛି। ଧନୁଯାତ୍ରା ଅବସରରେ ବରଗଡ଼ ସହର ମଥୁରା ନଗରୀ , ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ ରୁପାନ୍ତରିତ ହୋଇଯାଉଥିବା ବେଳେ ସହରର ସମସ୍ତ ଜନସାଧାରଣ ମଥୁରା ନଗରୀର ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥାନ୍ତି।

ସେପଟେ ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହରର ବିଭିନ୍ନ ସ୍ଥାନରେ ମେଳା ଲାଗିବା ସହ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏବର୍ଷ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ଲେଜର ଲାଇଟ।ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଅନ୍ୟ ପକ୍ଷରେ ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର , ଓରମାସ୍‌, ପଲ୍ଲୀଶ୍ରୀ ମେଳା, ଟ୍ରେଡ୍‌ ଫେୟାର ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି।ଅନ୍ୟ ପକ୍ଷରେ ଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।