ବ୍ୟୁରୋ : ଥରୁଛି ସାରା ଦେଶ । କେଉଁଠି କମ୍ ତ କେଉଁଠି ଅଧିକ ଥଣ୍ଡା ଅନୁଭବ ହେଉଛି । ଆଉ ବଜାରରେ ଖୋଲିଛି ମନମୁତାବକ ସ୍ବେଟର , ଜ୍ୟାକେଟ୍ , ହୁଡ଼ି , ସଲ୍ ର ପସରା । ଏହାରି ଭିତରେ ଟ୍ରେଣ୍ଡ୍କୁ ବା ଯୁବପିଢୀ ଛାଡିବେ କେମିତି? ବର୍ତ୍ତମାନର ଟ୍ରେଣ୍ଡ୍ ପାଲଟିଥିବା ଡାଉନ୍ ଜ୍ୟାକେଟ୍ ସମସ୍ତଙ୍କ ମନ ମୋହୁଛି ।
ବମ୍ବର,ପଫର ଏବଂ ଡାଉନ୍ ଜ୍ୟାକେଟ୍ ନାଁରେ ବିକ୍ରି ହେଉଥିବା ଶୀତ ବସ୍ତ୍ରଟି ଯୁବପିଢୀଙ୍କୁ ବେଶ୍ ଆକୃଷ୍ଟ କରିଛି । ଦେଖିବାକୁ ଷ୍ଟାଇଲିସ୍, କ୍ୟାରି କରିବା ପାଇଁ ହାଲକା ଏବଂ ଶୀତ ଦାଉରୁ ଦେହକୁ ଗରମ ରଖୁଥିବା ଜ୍ୟାକେଟ୍ ଟି କାହିଁକି ବା ପସନ୍ଦ ନ ହେବ । ଏହାର କ୍ୱାଲିଟି ଯେମିିତି ଦାମ୍ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି । ଷ୍ଟାଇଲ ଏବଂ କମ୍ଫର୍ଟକୁ ଗୁରୁତ୍ୱାରୋପ କରି ଜ୍ୟାକେଟ୍ ପ୍ରସ୍ତୁତ କରାଯାଇଛି । ଦେଖିବାକୁ ଫୁଲିଲା ଭଳି ଯେମିତି ପଲିଷ୍ଟର ଓ ଲିନନ୍ କପଡ଼ାରେ କିଏ ପବନ ଭର୍ତ୍ତି କରିଦେଇଛି ।
ହେଲେ ଏହି ଜ୍ୟାକେଟ୍ ଏତେ ହାଲୁକା କେମିତି ? ପ୍ରଶ୍ନ ଟିର ଉତ୍ତର ଖୋଜୁ ଖୋଜୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଉପରେ ନଜର ପଡିଲା । ଆଉ ସତ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଯାହା କିଛି ସମୟ ପାଇଁ ପ୍ରଶ୍ନରେ ବିଚଳିତ ମନକୁ ସ୍ତବ୍ଧ କରିଦେଇଥିଲା ।
ଡାଉନ୍ ଜ୍ୟାକେଟ୍ ଯାହାର ଚାହିଦା ଏତେ ଅଧିକ , ଯେ ଥଣ୍ଡାରେ ଶରୀରକୁ ଗରମ ରଖେ । କାଶ୍ମୀର , ସିମଲା , ଲଦାଖ ଏମିତିକି ଏଭରେଷ୍ଟ୍ ଚଢିଲେ ମଧ୍ୟ ଥଣ୍ଡା ପବନ ଶରୀରକୁ ଛୁଇଁ ବି ପାରେନି ; ଏହି ଜ୍ୟାକେଟ୍ କୁ ଫୁଲାଇବାରେ କୌଣସି ତୁଳା , ପବନର ବ୍ୟବହାର ନୁହଁ ବରଂ ପକ୍ଷୀଙ୍କ ପରକୁ ବ୍ୟବହାର କରାଯାଏ । ବତକର ପରକୁ ଡାଉନ୍ ବା ଡକ୍ ଡାଉନ୍ ବୋଲି କୁହାଯାଉଥିବାରୁ ଏହି ଜ୍ୟାକେଟର ନାଁ ଡାଉନ୍ ଜ୍ୟାକେଟ୍ । ଜ୍ୟାକେଟର ଭିତର ପଟେ ଗୋଟିଏ ଟ୍ୟାଗ୍ ଲାଗିଥାଏ ଯାହା ମାଟେରିଆଲର ଗ୍ୟାରେଣ୍ଟି ଦିଏ ।
ରିପୋର୍ଟ ଅନୁସାରେ , ଦିଲ୍ଲୀର ଜଣେ ଦୋକାନୀଙ୍କୁ ଏ ବିଷୟରେ ପଚାରିବାରୁ ସେ ଜ୍ୟାକେଟର ଗୋଟିଏ କୋଣରୁ କଣା କରି ପକ୍ଷୀର ପର ବାହାର କରି ଦେଖାଇଲେ ଏବଂ ଅଳ୍ପ ହସି କହିଲେ , ଆମେ ଦୁଇ ନମ୍ବର ମାଲ୍ ବିକ୍ରି କରୁନୁ । ଏହି ସବୁ ଜ୍ୟାକେଟ କେଉଁଠାରୁ ସପ୍ଲାଇ ହେଉଛି ପ୍ରଶ୍ନରେ ଦୋକାନୀ ଜଣକ କହିଲେ ଚୀନ୍ ରୁ ମାଲ୍ ହୋଲସେଲ୍ ରେ ଆସୁଛି । ବ୍ରାଣ୍ଡେଣ୍ଡ୍ ଡାଉନ୍ ଜ୍ୟାକେଟ୍ ହେଲେ ୧୦ ରୁ ୧୫ ହଜାର ଏବଂ ନନ୍ ବ୍ରାଣ୍ଡ ଖୋଜିଲେ ୨ ରୁ ୩ ହଜାର ଭିତରେ ଏହି ଜ୍ୟାକେଟ୍ ମିଳିଯିବ ।
ତେବେ ମାନବିକତା ଦୃଷ୍ଟିରୁ ଏଠାରେ ଏକ ପ୍ରଶ୍ନ ବ୍ୟତିବ୍ୟସ୍ତ କରୁଛି । ଟ୍ରେଣ୍ଡିଂ ପାଇଁ ଜ୍ୟାକେଟ୍ କିଣି ସାମାନ୍ୟ ଖୁସିର ମୂଲ୍ୟ ଦେଉଛି କିଏ ? ପଶୁପକ୍ଷୀଙ୍କ ଉପରେ ହେଉଥିବା ଅନୈତିକ ବ୍ୟବହାର ବିରୋଧରେ ସ୍ବର ଉଠାଇଥିବା ଏନଜିଓ ଚଋଞଇ ଡାଉନ୍ ଇଣ୍ଡଷ୍ଟ୍ରୀର କଳା କାରବାରର ସତକୁ ଉଜାଗର କରିବା ପାଇଁ ଏକ ରିପୋର୍ଟ ବାହାର କରିଥିଲା । ଏହି ରିପୋର୍ଟରେ ଲେଖା ଥିଲା ଯେ ପକ୍ଷୀଙ୍କ ଛାତିରେ ପରର ଏକ କୋମଳ ପରସ୍ତ ଥାଏ ଯାହାକୁ ଡାଉନ୍ କୁହାଯାଏ ।