କଟକ : ଜୁନ୍ ୧୨ରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ହେଲେ ୪୪ ହଜାର ଦର୍ଶକ ବସିପାରୁଥିବା ଏହି ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ବଡ ପ୍ରଶ୍ନ ସୃଷ୍ଟି କରିଛି । ଏହି ପ୍ରମାଣପତ୍ର ଜାରି କରିଥାନ୍ତି ରାଜ୍ୟ ଅଗ୍ନିଶମ ନିର୍ଦେଶାଳୟ, ହେଲେ ଏହି ପ୍ରମାଣପତ୍ର ହାସଲ କରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି ଷ୍ଟାଡିୟମ କର୍ତ୍ତୃପକ୍ଷ । ଏ ନେଇ ରିପୋର୍ଟ ଦାଖଲ କରିବାକୁ କଟକ ଡିସିପି ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ଆସନ୍ତା ୨୬ ତାରିଖ ସୁଦ୍ଧା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନ ଉପରେ ଶୁଣାଣି କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି କମିସନ ।
ବାରବାଟୀ ଷ୍ଟାଡିୟମର ବିଲିଡିଂ ସେଫ୍ଟି ଯାଞ୍ଚ କରାଯାଉ ନ ଥିବା ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ ଓ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଯାଞ୍ଚ ହୋଇନାହିଁ। ଏଭଳି ସ୍ଥଳେ ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଓସିଏ ସରକାରଙ୍କୁ ଅନୁମତି ମାଗିଛି। ସେପଟେ ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଲେ ବଡ ଧରଣର ବିପଦକୁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଉଛି ।
ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ନ କରି ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଲେ ବଡ ଧରଣର ବିପଦକୁ ଏଡାଇଦିଆଯାଇ ନ ପାରେ ବୋଲି ସେ ଦର୍ଶାଇଛନ୍ତି। ପୁନଶ୍ଚ ଫାୟାର ଅଫିସରୁ ବାରମ୍ବାର ଚିଠି ଆସୁଥିଲେ ମଧ୍ୟ ଓସିଏ କର୍ତ୍ତୃପକ୍ଷ ସେ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ସେ ଅଭିଯୋଗ କରି ଏ ସମ୍ପର୍କିତ ପ୍ରମାଣ ଦାଖଲ କରିଛନ୍ତି।