ଭୁବନେଶ୍ୱର:ରାଜଧାନୀରେ ଆନ୍ତଃରାଜ୍ୟ ଟ୍ରାଭେଲ୍ ଏଜେନ୍ସି କରି କୋଟି କୋଟି ଟଙ୍କା ଠକେଇ କରୁଥିବା ହେଲା ଅଭିଯୋଗ। ଚାଟାର୍ଡ ଆକାଉଣ୍ଟାଣ୍ଟ ଠାରୁ ଆରମ୍ଭ କରି ଆଇ.ଏଫ୍.ଏସ୍. ସମେତ ବହୁ ବଡ ବଡ ଅଧିକାରୀ ଓ ସଫ୍ଟ ୱେୟାର ଇଞ୍ଜିନୟର ଠକେଇର ଶିକାର ହୋଇଥିବା ହୋଇଛି ଅଭିଯୋଗ। ଲୋକେସନ୍ ଟ୍ରାକ୍ କରି ଟଙ୍କା ନେଇଥିବା ଲୋକଙ୍କୁ ମାଡ଼ି ବସିଲେ ମହିଳା। ହୋଟେଲରେ କାବୁ କରି ଦେଲେ ପୁଲିସ୍ ଜିମା। ଯୁବତୀ ସମେତ ଟ୍ରାଭେଲ୍ ଏଜେନ୍ସୀ ଗ୍ୟାଙ୍ଗର ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ମୈତ୍ରୀ ବିହାର ଥାନା ପୁଲିସ୍।ଟ୍ରାଭେଲ୍ ଏଜେନ୍ସି ମାଧ୍ୟମରେ ଦେଶ ବିଦେଶ ବୁଲିବାକୁ ଚାହୁଁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ। ନଚେତ୍ ଆପଣ ମଧ୍ୟ ହୋଇ ପାରନ୍ତି ବଡ଼ ଧରଣର ଠକେଇର ଶିକାର। ରାଜ୍ୟ ତଥା ରାଜ୍ୟ ବାହାରେ ବିଶେଷ କରି ବିଦେଶ ବୁଲିବାକୁ ମନ ବଳାଇଥିବା ଶତାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଏକ ଟ୍ରାଭେଲ୍ ଏଜେନ୍ସି ର ତିନି ଜଣକୁ ଧରି ପୁଲିସ୍ ଜିମା ଦେବା ସହ ମୈତ୍ରୀ ବିହାର ଥାନାରେ ଲିଖିତ ଅଭିଯୋଗ କରିଲେ ମହିଳା।ଦୀର୍ଘ ୫ବର୍ଷ ହେବ ଲଗ୍ସରୀ କଣ୍ଟ୍ରି ରୟାଲ ହଲିଡେସ୍ ଇନ୍ ଏଣ୍ଡ ସୁଇଟ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଖୋଲି କରି ଚାଲିଥିଲେ ଠକେଇ। ଲୋକଙ୍କ କଣ୍ଟାକ୍ଟ ନମ୍ବର ଡାଟା ବେସ୍ ରୁ ଆଣି ସେମାନଙ୍କୁ ଷ୍ଟାର ହୋଟେଲରେ ବସାଇ ତିଆରି କରିଥିଲେ ଫନ୍ଦା। ଦେଶ ତଥା ଦେଶର ଯେ କୌଣସ ଜାଗାରେ ଦୁଇ ରାତି ତିନିଦିନ ସହ ଦୁଇଟି ଫିଲ୍ମ ଟିକେଟ ଓ ବିୟୁଟି ପାର୍ଲରରେ ସର୍ଭିସ୍ ପ୍ରଦାନ କରିବା ପରି ଲୋଭନୀୟ ଆଫର୍ ଦେଇ କୋଟିକୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି ରାଜଧାନୀର ବିଭିନ୍ନ ଥାନାରେ।