ନୂଆଦିଲ୍ଲୀ: ନୌସେନା ପାଇଁ ଆସିବ ୬୮ଟି ଯୁଦ୍ଧ ଜାହାଜ। ଏଥିପାଇଁ ୨ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି । ଭାରତ ମହାସାଗରରେ ଚୀନର ବିପଦ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଏବଂ ନୌସେନାର ଶକ୍ତିବୃଦ୍ଧି ପାଇଁ ଏପରି କରାଯାଉଛି । ଭାରତ ମହାସାଗରୀୟ ଅଂଚଳରେ ଚୀନର ଆଧିପତ୍ୟ ବଢିଚାଲିଛି । ଚୀନର ଯୁଦ୍ଧ ଜାହାଜ ଓ ଗୁପ୍ତଚର ଜାହାଜ ନିୟମିତଭାବେ ଭାରତ ମହାସାଗରରେ ଦେଖିବାକୁ ମିଳିଛି । ଏଥିପାଇଁ ନୌସେନାର ଶକ୍ତି ବୃଦ୍ଧି ପାଇଁ ଯୋଜନା ହୋଇଛି ।
ଭାରତୀୟ ନୌସେନା ନିକଟରେ ଏବେ ୧୩୨ଟି ଯୁଦ୍ଧ ଜାହାଜ, ୧୪୩ଟି ବିମାନ, ୧୩୦ଟି ହେଲିକପ୍ଟର କାର୍ୟ୍ୟକରୁଛି । ଆସନ୍ତା କିଛି ବର୍ଷ ମଧ୍ୟରେ ନୌସେନା ପାଇଁ ୮ଟି ଅତ୍ୟାଧୁନିକ କର୍ଭେଟ୍, ୯ଟି ବୁଡ଼ାଜାହାଜ, ୫ଟି ସର୍ଭେ ଜାହାଜ ଓ ୨ଟି ବହୁମୁଖୀ ଭେସେଲ ଦେଶ ମଧ୍ୟରେ ନିର୍ମାଣ କରିବାକୁ ସରକାର ପ୍ରାଥମିକ ମଂଜୁରୀ ଦେଇଛନ୍ତି । ତେବେ ୨୦୩୦ ସୁଦ୍ଧା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ସଂଖ୍ୟା ୧୫୫ ରୁ ବୃଦ୍ଧି କରି ୧୬୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୩୫ ସୁଦ୍ଧା ଏହାକୁ ଆହୁରି ବୃଦ୍ଧି କରି ୧୭୫ରୁ ୨୦୦ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରାଯାଉଛି ।