ପାକିସ୍ତାନର ଇସଲାମାବାଦ-ଲାହୋର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ବସ୍ ଯେତେବେଳେ ରାୱଲପିଣ୍ଡି ଛାଡ଼ିଥିଲା, ସେହି ସମୟରେ ହିଁ ବସ୍ରେ ତ୍ରୁଟି ଦେଖାଯାଇଥିଲା। ବସ୍ଟି ଠିକ୍ ଭାବେ ଚାଲୁ ନ ଥିଲା। ତେବେ ବସଟି କିଛି ବାଟ ଗଲା ପରେ ଇସଲାମାବାଦ-ଲାହୋର ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ପାଇଁ ଡ୍ରାଇଭର ଏବଂ ବସ୍ ମାଲିକଙ୍କୁ ଦାୟୀ କରାଯାଉଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ ଅଧିକାରୀମାନେ କଲ୍ଲାର କହାର ଥାନାରେ ମାମଲା ପଞ୍ଜୀକୃତ କରିଛନ୍ତି। ତେବେ ପରିବହନ କମ୍ପାନୀର କହିବା ଅନୁଯାୟୀ ସୁରକ୍ଷିତ ଯାତ୍ରା ପାଇଁ ବସ୍ ଭଲ ସ୍ଥିତିରେ ଥିଲା। ସେପଟେ ଏହି ବସ୍ ଦୁର୍ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।