ବ୍ୟୁରୋ : ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ ସୁନ୍ଦରୀ ଅଭିନେତ୍ରୀ ଜୁହି ଚାୱଲା । ଜୁହି ଚାୱଲା ୧୯୮୪ ମସିହାରେ ମିସ୍ ଇଣ୍ଡିଆ ଟାଇଟଲ ଜିତିଥିଲେ ଏବଂ ବଲିଉଡର କୁଇନ ରେଖା ତାଙ୍କୁ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧାଇଥିଲେ । ଏହା ପରେ ଜୁହିଙ୍କୁ ଫିଲ୍ମ ମିଳିବା ଆରମ୍ଭ ହୋଇଥିଲା ।
ଜୁହିଙ୍କ ଫିଲ୍ମ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ମିସ୍ ଇଣ୍ଡିଆଠୁ ନେଇ ସଫଳ ଅଭିନେତ୍ରୀ ହେବା ପର୍ୟ୍ୟନ୍ତର ଯାତ୍ରା ବେଶ୍ ଚର୍ଚ୍ଚିତ ଥିଲା । ଅନ୍ୟ ଅଭିନେତ୍ରୀମାନଙ୍କ ପରି ଫିଲ୍ମର ହିରୋଙ୍କ ଉପରେ ନିର୍ଭର କରୁନଥିଲେ ବରଂ ଜୁହି ପ୍ରତ୍ୟେକ ଫିଲ୍ମରେ ହିରୋଙ୍କଠାରୁ ମଧ୍ୟ ଅଧିକ ହିଟ୍ ହେବାର ଦେଖାଯାଇଛନ୍ତି । ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିବା ଏହି ଅଭିନେତ୍ରୀ ବଲିଉଡର ତିନି ଖାନଙ୍କ ସହ ମଧ୍ୟ କାମ କରିଛନ୍ତି ।
ବଲିଉଡ ଜଗତରେ ତାଙ୍କର କାର୍ଯ୍ୟଶୈଳୀ ଅତି ଉଲ୍ଲେଖନୀୟ । ମିସ୍ ଇଣ୍ଡିଆ ମୁକୁଟ ଜିତିବାର ଦୁଇ ବର୍ଷ ପରେ ୧୯୮୬ରେ ଜୁହିଙ୍କୁ ଫିଲ୍ମ “ସଲତନତ”ରେ କାମ କରିବାର ସୁଯୋଗ ମିଳିଥିଲା କିନ୍ତୁ ଫିଲ୍ମଟି ସେତେ ସଫଳତା ପାଇ ନଥିଲା । ପରେ ତାଙ୍କର ସାଉଥ୍ ଡେବ୍ୟୁ ଫିଲ୍ମ ହିଟ୍ ହୋଇଥିଲା ଏବଂ ହିନ୍ଦୀ ସିନେମାରେ ତାଙ୍କର ପ୍ରତ୍ୟାବର୍ତ୍ତନ ମଧ୍ୟ ହେଲା । ଜୁହି କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି ।
୧୯୮୮ ମସିହାରେ ଜୁହିଙ୍କୁ ଅମିରଙ୍କ ବିପକ୍ଷରେ କୟାମତ ସେ କୟାମତ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କାଷ୍ଟ କରାଯାଇଥିଲା । ସେତେବେଳେ ଏହି ଚଳଚ୍ଚିତ୍ରଟି ବ୍ଲକବଷ୍ଟର ପ୍ରମାଣିତ ହେଲା ଏବଂ ଏହି ଫିଲ୍ମ ପାଇଁ ଜୁହିଙ୍କୁ ପୁରଷ୍କାର ପରେ ପୁରଷ୍କାର ମିଳିବାକୁ ଲାଗିଲା । ଏହା ପରେ ଜୁହି କେବେ ପଛକୁ ଫେରି ଚାହିଁ ନଥିଲେ ।
ଜଣେ ସଫଳ ଅଭିନେତ୍ରୀ ତଥା ବଲିଉଡର ଆଗ ଧାଡିର ନାୟିକା ହୋଇଥିଲେ ବି ବ୍ୟବସାୟରୁ ସେ ବେଶୀ ଲାଭ କରିପାରିଛନ୍ତି । ବର୍ତ୍ତମାନ ୫୭ ବର୍ଷ ବୟସରେ ପହଞ୍ଚିଥିବା ଜୁହି ଦୁଇଟି ସନ୍ତାନର ମାଆ ହେବା ସହ ଜଣେ ସକସେସଫୁଲ ବିଜନେସ୍ ୱମେନ୍ । ଜୁହି ଚାୱଲା ୪୬୦୦ କୋଟି ସମ୍ପତ୍ତିର ମାଲିକିଆଣି ।
ଶାହରୁଖ ଖାନଙ୍କ ପରେ ଜୁହି ଚାୱଲା ବଲିଉଡର ଦ୍ୱିତୀୟ ଷ୍ଟାର ଯାହାଙ୍କ ସମ୍ପତ୍ତି ସର୍ବାଧିକ । ଶାହରୁଖଙ୍କ ପାଖରେ ୭୩୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ସଲମାନ ଖାନ, ଆମିର ଖାନ, ହ୍ରିତିକ୍ ରୋଶନ ଏବଂ ଅନେକ ଅଭିନେତା ରୋଜଗାରରେ ଜୁହି ଚାୱଲାଙ୍କ ଠାରୁ ବହୁତ ପଛରେ ଅଛନ୍ତି । ଜୁହି ଚାୱଲା ତାଙ୍କ କ୍ୟାରିୟରର ଶିଖର ସମୟରେ ୧୯୯୫ ମସିହାରେ ବ୍ୟବସାୟୀ ଜୟ ମେହେତାଙ୍କୁ ବିବାହ କରିଥିଲେ ।
ଜୁହି ତାଙ୍କ ବେଷ୍ଟ ଫ୍ରେଣ୍ଡ ଶାହରୁଖ ଖାନଙ୍କ ସହ ମିଶି ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ କିଣିଛନ୍ତି । ଏହା ବ୍ୟତୀତ ଜୁହିଙ୍କର ଅନେକ ବ୍ୟବସାୟ ମଧ୍ୟ ଅଛି । ଏବେ ବି ଜୁହି ଚାୱଲା ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ୨୦୨୩ରେ ତାଙ୍କୁ ‘ଫ୍ରାଇଡେ ନାଇଟ୍ ପ୍ଲାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ ବଲିଉଡରେ ଜୁହି ଚାୱାଲାଙ୍କୁ ନେଇ ଆଜି ବି ଚର୍ଚ୍ଚା ।