ପୁରୀ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ରଥ ନିର୍ମାଣ ପାଇଁ ନୟାଡଗ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ରଥ କାଠ ମଧ୍ୟ ଆସି ପହଞ୍ଚିଲାଣି । ତେବେ ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସପି । ଟ୍ରାଫିକ ଏବଂ କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ଏଆଇ କ୍ୟାମେରା ଲାଗିବ । ଏନଏଚ ଏବଂ ବଡଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏଥିରେ ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍ରୁ ଚାରିଦିଗରେ ରଖି ଦେବ କଡ଼ା ନଜର । ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।