ଭୁବନେଶ୍ୱର: ଚଳିତ ବର୍ଷ ଅନୁଷ୍ଠିତ ହେବ ଓଡ଼ିଶା ପ୍ରସିଦ୍ଧ କଟକ ବାଲିଯାତ୍ରା । ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ବର୍ଷ ଧରି ବାଲିଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ କାରଣରୁ ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ ।
ଅନ୍ୟପକ୍ଷରେ, ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ନ ହେବା କାରଣରୁ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ, ସ୍ୱୟଂ ସହାୟିକା ଗୋଷ୍ଠୀ ନିରାଶ ହୋଇଥିଲେ । ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ଏଥିପାଇଁ ମାସ ମାସ ଆଗରୁ ପ୍ରସ୍ତୁତ ହୋଇଥାନ୍ତି ବ୍ୟବସାୟୀ । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ଦୁଇ ବର୍ଷ ଧରି ହତାଶ ହୋଇଥିଲେ।ସେହିଭଳି ଦୁଇ ବର୍ଷ ଧରି ବାଲିଯାତ୍ରା ବନ୍ଦ ହେବା କାରଣରୁ ପ୍ରଶାସନ ମଧ୍ୟ ରାଜସ୍ୱହାନିର ଶିକାର ହୋଇଛି ।