ନୂଆଦିଲ୍ଲୀ : ଦୀର୍ଘ ୭୩ବର୍ଷ ପରେ ଥୋମାସ କପ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ବ୍ୟାଡମିଣ୍ଟନ ଦଳର ଖେଳାଳିମାନଙ୍କ ସମେତ ଉବର କପ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ମହିଳା ଖେଳାଳିମାନଙ୍କ ପାଇଁ ଉତ୍ସାହଜନକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ବିଜୟ ଫଳରେ ଦେଶରେ ବ୍ୟାଡମିଣ୍ଟନ ଖେଳର ଲୋକପ୍ରିୟତା ବୃଦ୍ଧି ପାଇଛି, ପୁଣି ଅଭ୍ୟାସ ମଣିଷକୁ ସଫଳତା ଦେଇପାରେ ବୋଲି ମୋଦି କହିଥିଲେ ।
ଭାରତୀୟ ଟିମର ସଦସ୍ୟ ଚିରାଗ, ଲକ୍ଷ୍ୟ ସେନ ଓ ପ୍ରଣୟଙ୍କ ସହିତ କଥାବାର୍ତ୍ତା କରି ମୋଦି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହିତ ଉବର କପରେ ଭାଗ ନେବାକୁ ଥିବା ହରିୟାଣାର ସର୍ବକନିଷ୍ଠ ଖେଳାଳି ଉନ୍ନତି ହୁଡାଙ୍କ ସହିତ କଥା ହୋଇଥିଲେ । ପରେ ଡବଲସ ଟିମ୍ର କୋଚ ମେଥିୟାସଙ୍କ ଭାବପ୍ରବଣତା ବେଶ ରୋମାଞ୍ଚଜନକ ହୋଇଥିଲା । ମୁଁ ଯେତେବେଳେ ଜଣେ ଖେଳାଳି ହୋଇ ଦେଶ ପାଇଁ ମେଡାଲ ହାସଲ କରୁଥିଲି, ସେତେବେଳେ ଡେନମାର୍କର ପ୍ରଧାନମନ୍ତ୍ରୀ କେବେ ଟିମ ସଦସ୍ୟଙ୍କୁ ମିଶିବା ପାଇଁ ନିମନ୍ତ୍ରଣ କରିନଥିଲେ । ମାତ୍ର ଭାରତର ପ୍ରଧାନମନ୍ତ୍ରୀ ଅନ୍ୟତମ । ଆମର ସଫଳତାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ସାହଜନକ ବକ୍ତବ୍ୟ ଆମକୁ ଅଧିକ ଆଗକୁ କଢ଼ାଇ ନେବ ବୋଲି କୋଚ ମେଥିୟାସ କହିଥିଲେ ।